କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା । ଭାରତ -ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଦେଖିବାକୁ ମିଳିଲା ମହିଳା ଅମ୍ପାୟାର । ଚତୁର୍ଥ ଅମ୍ପାୟାର ଭାବେ ତୁଲାଉଛନ୍ତି ଦାୟିତ୍ୱ

218

କନକ ବ୍ୟୁରୋ : ବିଶ୍ୱ କ୍ରିକେଟ ଇତିହାସରେ ଦେଖିବାକୁ ମିଳିଛି ଏକ ଅଶ୍ଚର୍ଯ୍ୟ ଘଟଣା । ୧୪୪ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ପୁରୁଷ କ୍ରିକେଟ ମ୍ୟାଚରେ ଜଣେ ମହିଳା ଅମ୍ପାୟାର ଦାୟିତ୍ୱ ତୁଲାଉଛନ୍ତି । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚରେ ଚତୁର୍ଥ ଅମ୍ପାୟାର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ନ୍ୟୁ ସାଉଥ୍ ୱେଲ୍ସର ୩୨ ବର୍ଷ ବୟସ୍କା ପୋଲୋସାକ୍ ।

ଘରୋଇ- ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଠ ବର୍ଡର- ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ ସିଡନୀ ଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଏହି ମ୍ୟାଚରେ ପ୍ରଥମ ଥର ପାଇଁ ପୋଲୋସାକ୍ ଚତୁର୍ଥ ଆମ୍ପାୟର ଭାବେ ଦାୟିତ୍ୱ ତୁଲାଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ପୋଲୋସାକ୍ ୨୦୧୯ ମସିହା ଏପ୍ରିଲ ମାସରେ ନାମ୍ବିଆ ଓ ଓମାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କ୍ରିକେଟ ଲିଗ୍ ଡିଭିଜନର ଦୁଇଟି ଏକଦିବସୀୟ ମ୍ୟାଚରେ ରେଫରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାହା ପୂର୍ବରୁ ୨୦୧୮ ମସିହାରେ ପୋଲୋସାକ୍ ନ୍ୟୁ ସାଉଥ ୱେଲସ ଓ ଅଷ୍ଟ୍ରେଲିଆ କ୍ରିକେଟ ଏକାଦଶ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ପ୍ରଥମ ଥର ପାଇଁ ପୁରୁଷ ମ୍ୟାଚରେ ମହିଳା ଅମ୍ପାୟର ଭାବେ କାମ କରିଥିଲେ । ଏହା ବ୍ୟତିତ ଡବ୍ଲୁବିବିଏଲରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଓ ମେଲବୋର୍ଣ୍ଣ ଷ୍ଟାର ମଧ୍ୟରେ ଖେଳା ଯାଇଥିବା ମ୍ୟାଚକୁ ବି ପରିଚାଳନା କରିଥିଲେ । ଗତ ଫେବୃଆରୀ –ମାର୍ଚ୍ଚରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୨୦-୨୦ ମହିଳା ବିଶ୍ୱକପରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚର ଅମ୍ପାୟାର ଭାବେ ପୋଲୋସାକଙ୍କୁ ଦେଖିବାକୁ ମିଳିଥିଲା । ଚଳିତ ଟେଷ୍ଟମ୍ୟାଚରେ ତାଙ୍କର ଅମ୍ପାୟରିଂ କରିବାର ତରିକା ଦେଖିବା ପରେ ଆଇସିସି ପୋଲୋସାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।