ଉତ୍ତରପ୍ରଦେଶ ମହିଳାଙ୍କୁ ଯୋଗୀଙ୍କ ରାକ୍ଷୀପୂର୍ଣ୍ଣିମା ଭେଟି । ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣାରେ ବସରେ ଯାତ୍ରା କରିବେ ମହିଳା ।

151

କନକ ବ୍ୟୁରୋ : ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ଉତ୍ତରପ୍ରଦେଶ ମହିଳାଙ୍କୁ ଯୋଗୀ ସରକାରଙ୍କ ବଡ ଭେଟି । ରାକ୍ଷୀପୂର୍ଣ୍ଣିମାରେ ଉତ୍ତରପ୍ରଦେଶ ମହିଳାଙ୍କ ପାଇଁ ସରକାରୀ ବସରେ ମାଗଣା ଯାତ୍ରା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଅଥାର୍ତ ରାକ୍ଷୀ ପୂର୍ଣ୍ଣିମା ଦିନ ଉତ୍ତରପ୍ରଦେଶରେ ମହିଳା ମାନେ ବିନା ଟିକେଟରେ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ଅଧିନରେ ଆସୁଥିବା ସମସ୍ତ ବସରେ ଯାତାୟତ କରିପାରିବେ ଓ ନିଜ ପ୍ରିୟଜନଙ୍କୁ ରାକ୍ଷୀ ବାନ୍ଧିପାରିବେ । ଏହି ସୁବିଧା ମହିଳାଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମିଳିବ । ଆଜାଦୀ କି ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ଏହି ମାଗଣା ବସ୍ ସେବା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

ଯୋଗୀ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାକ୍ଷୀପୂର୍ଣ୍ଣିମା ଅବସରରେ ଅଗଷ୍ଟ ୧୦ ରାତି ୧୨ଟାରୁ ଅଗଷ୍ଟ ୧୨ ରାତି ୧୨ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଉପଲବ୍ଧ ରହିବ । ସେହିଭଳି ବିଭିନ୍ନ ଉତ୍ସବ ପାଇଁ ଉତ୍ତରପ୍ରଦେଶରୁ ଦୂର ସ୍ଥାନକୁ ବସ୍ ଚଳାଚଳ କରିବ । ବିଭିନ୍ନ ରୁଟରେ ବସ୍ ସଂଖ୍ୟା ବଢାଯିବା ସହ ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଯାତ୍ରୀଙ୍କୁ ବସ୍ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିବାକୁ ପଡିବନି । ଏପରିକି ଦୂର ରୁଟରେ ପ୍ରତି ୩୦ ମିନିଟରେ ଗୋଟିଏ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି ।