ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ । ମହିଳା ଭୋଟବ୍ୟାଙ୍କ ହାତେଇବାକୁ ବିଜେଡି, ବିଜେପି ଓ କଂଗ୍ରେସର କସରତ ।

147

କନକ ବ୍ୟୁରୋ: ସବୁ ରାଜନୈତିକ ଦଳଙ୍କ ଟାର୍ଗେଟରେ ମହିଳା । ଆସନ୍ତା ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଛି, ଏଥିଲାଗି ୩ଟି ରାଜନୈତିକ ଦଳ ନିଜ ନିଜର ବ୍ଲପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ଭୋଟବ୍ୟାଙ୍କକୁ ପ୍ରଭାବିତ କରିବାକୁ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ।

ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡି, ରାଜ୍ୟ କାର୍ଯ୍ୟାଳୟରେ ବଡ ଧରଣର ଆୟୋଜନ କରିଛି । ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ମହିଳାଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ବିଜେଡିର ମହିଳା ସାଂସଦ, ବିଧାୟକ ଓ ଜିଲ୍ଲା ମହିଳା ସଭାପତି ଓ ଆଗଧାଡିର ମହିଳା ନେତ୍ରୀ ଉପସ୍ଥିତ ରହିବେ ।

ଅନ୍ୟପଟେ ମହିଳା ଦିବସରେ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଆସିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ୫ଟି ପ୍ରଶ୍ନ ପଚାରି ବିେଜେଡିକୁ ଘେରିଛି ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏହାସହ ବିଜେଡି ମହିଳାଙ୍କୁ ଭୋଟବ୍ୟାଙ୍କ ପାଇଁ ବ୍ୟବହାର କରୁଛି ଓ ସ୍ୱଂୟସହାୟକ ଗୋଷ୍ଠୀକୁ ଦଳୀୟ କାର୍ଯ୍ୟରେ ନିୟୋଜିତ କରିବା ନେଇ ବିଜେପି ଅଭିଯୋଗ ଆଣିଛି ।

ସେପଟେ ରାଉରକେଲାରେ ମହିଳା ସମାବେଶ କରିବ କଂଗ୍ରେସ । ୮ ତାରିଖର ଅନ୍ତର୍ଜାତୀୟ ମହିଳା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ବି କଂଗ୍ରେସ ଘୋଷଣା କରିଛି । ତେବେ ରାଜ୍ୟରେ ମହିଳା ଭୋଟରଙ୍କ ଉପରେ ଏବେ ସବୁ ଦଳର ନଜର ରଖିଛନ୍ତି ଆଉ ଆଉ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ନିକଟତର କିଏ ହେବ , ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଅଙ୍କକଷା ।