ଗଣତନ୍ତ୍ରର ମହାପର୍ବରେ ଆଗରେ ମହିଳା । ମତାଧିକାର ସାବ୍ୟସ୍ତ କରିବାରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା ଭୋଟର ।

71

କନକ ବ୍ୟୁରୋ: ମତଦାନରେ ବି ମହିଳା ଆଗରେ । ଗତକାଲି ଓଡ଼ିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରେକର୍ଡ ସଂଖ୍ୟକ ମହିଳା ଭୋଟର ମତଦାନ ସବ୍ୟାସ୍ତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସିଇଓଙ୍କ ସୂଚନା ମୁତାବକ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି । ସେଥିମଧ୍ୟରେ ୭୩.୦୯ ପ୍ରତିଶତ ପୁରୁଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବାବେଳେ ୭୪.୪୩ ପ୍ରତିଶତ ମହିଳା ଭୋଟର ନିଜର ମତଦାନ ସବ୍ୟସ୍ତ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ପ୍ରଥମ ଚରଣରେ ମୋଟ୍ ୭୩.୭୬ ପ୍ରତିଶତ ମତ ସଂଗ୍ରହ ହୋଇଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଗତକାଲି ଭୋଟ ଗ୍ରହଣ ହୋଇଛି । ଗଣତନ୍ତ୍ରର ଏହି ଭୋଟିଂ ପ୍ରକ୍ରିୟାରେ ଓଡ଼ିଶାର ମହିଳା ଭୋଟର ମାନେ ମତଦାନ ସାବ୍ୟସ୍ତରେ ଆଗରେ ରହିଛନ୍ତି । ସେହଭିଳି କଳାହାଣ୍ଡିରେ ୭୫.୮୨ ପ୍ରତିଶତ ଭୋଟ ଇଭିଏମରେ ସିଲ ହୋଇଛି । ନବରଙ୍ଗପୁରରେ ୭୮.୮୯%, ବ୍ରହ୍ମପୁରରେ ୬୫.୫୭% ଓ  କୋରାପୁଟରେ  ୭୪. ୭୭% ମତଦାନ ହୋଇଛି । କୋରାପୁଟ କୋଟପାଡରେ ସର୍ବାଧିକ ୮୬.୮୩ ପ୍ରତିଶତ ଭୋଟିଂ ହୋଇଥିବାବେଳେ ବ୍ର୍ହ୍ମପୁର ବିଧାନସଭା କ୍ଷେତ୍ରରେ ସବୁଠୁ କମ୍ ୫୬.୩୪ ପ୍ରତିଶତ ମତଦାନ ହୋଇଛି ବୋଲି ସିଇଓ କହିଛନ୍ତି ।