ଭୋଟର ତାଲିକାରୁ ବାଦ୍ ପଡ଼ିବାରୁ ସିଇଓଙ୍କ ଅଫିସରେ ଧାରଣା ଦେଲେ ମହିଳା ଭୋଟର, ଅନେକ ବୁଝାସୁଝା ପରେ ଧାରଣାରୁ ହଟିଲେ ।

135

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଆସିଲା ଅଭାବନୀୟ ଦୃଶ୍ୟ । ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିବାରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ମହିଳା ଭୋଟର । ଭୋଟ୍ ଦେଇନପାରିବାରୁ ସିଇଓଙ୍କ ଅଫିସରେ ଧାରଣାରେ ବସିଲେ ମହିଳା । ସୂଚନା ମୁତାବକ, ମହିଳା ଜଣକ ଫୁଲନଖରା ଅଞ୍ଚଳରର ଦେବଦାସୀ ମହାନ୍ତି । ଆଜି ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୋଟ୍ କେନ୍ଦ୍ରକୁ ଯାଇଥିଲେ ମଧ୍ୟ ତାଙ୍କ ନାଁ ଭୋଟର ତାଲିକାରେ ନଥିଲା । ଯାହାଫଳରେ ସେ ସିଧା ସିଧା ଭୁବନେଶ୍ୱର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚି ଧାରଣା ଦେଇଥିଲେ ।

ଏପରିକି ସିଇଓଙ୍କ ଅଫିରେ ଅନେକ ସମୟ ଧରି ହଙ୍ଗାମା କରିଥିଲେ ଦେବଦାସୀ ମହାନ୍ତି । ଏହାପରେ ଘଟଣାସ୍ଥଳରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ତାଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ମହିଳା ଜଣକ କହିଥିଲେ କି, ତାଙ୍କ ପାଖରେ ଭୋଟର ପରିଚୟ ପତ୍ର ଥିଲେ ମଧ୍ୟ ମତଦାନରୁ କାହିଁକି ବଞ୍ଚିତ କରାଗଲା ବୋଲି କ୍ଷୋଭ ଜଣାଇଛନ୍ତି । ଅନେକ ସମୟ ଧରି ବୁଝାସୁଝା ପରେ ସିଇଓଙ୍କ ଅଫିସରୁ ଧାରଣାରୁ ଉଠିଛନ୍ତି ମହିଳା ଭୋଟର ।