ମହିଳାଙ୍କ ମନ ଜିଣିବାକୁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ । ଫୋକସରେ ମହିଳା ଭୋଟବ୍ୟାଙ୍କ, ଯେଉଁ ଶିବିର ଆଡକୁ ଢଳିବ ସେହି ଦଳ ପିନ୍ଧିବ ବିଜୟ ମୁକୁଟ ।

204

କନକ ବ୍ୟୁରୋ : ଫୋକସରେ ମହିଳା ଭୋଟର । ଯେଉଁ ଦଳ ଆଡକୁ ମହିଳା ଭୋଟବ୍ୟାଙ୍କ ଢଳିବ ସେ ଦଳ ୨୦୧୯ ନିର୍ବାଚନ କୁରୁକ୍ଷେତ୍ରରେ ବିଜୟୀ ଟୀକା ପିନ୍ଧିବ । ଏଭଳି ଏକ ସମ୍ଭାବନା ଏବେ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି । ଯେଉଁଥିପାଇଁ ପ୍ରତ୍ୟେକ ଦଳ ଏବେ ମହିଳା ଭୋଟରଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି । ମହିଳାଙ୍କ ମନ ଜିଣିବାକୁ ୩ ରାଜନୈତିକ ଦଳର ସୁପ୍ରିମୋ ଦେଉଛନ୍ତି ପୁଳା ପୁଳା ପ୍ରତିଶୃତି । ଆଉ ଏହି କ୍ରମରେ ଆଜି ପ୍ରଚାର ମୈଦାନରୁ ମହିଳାଙ୍କ ପାଇଁ ପ୍ରତିଶୃତିର ବନ୍ୟା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନୂଆପଡା ନିର୍ବାଚନୀ ସଭାରେ ମହିଳାଙ୍କୁ ନେଇ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ନବୀନ । ମହିଳା ମାନଙ୍କୁ ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି ଟ୍ୟାଗ୍ ଦେବାକୁ ଭୁଲିନାହାନ୍ତି ନବୀନ । ଏହାଛଡା ବିଜେଡି ସରକାର ପୁଣିଥରେ କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳୁଥିବା ସହାୟତା ରାଶି ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କହି ମହିଳା ଭୋଟବ୍ୟାଙ୍କକୁ ନିଜ ସପକ୍ଷକୁ ନେବାକୁ ପ୍ରୟାସ କରିଛନ୍ତି ନବୀନ । ଏହାସହ ଗରିବ ଝିଅ ମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କା ସହାୟତା, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ନେଇ ପ୍ରତିଶୃତି ଦେଇଛନ୍ତି ନବୀନ ।

ଏହାବାଦ୍ ମିଶନ ଶକ୍ତିର ମହିଳା ମାନଙ୍କୁ ବାର୍ଷିକ ୫ ହଜାର କୋଟି ଟଙ୍କାର କାମ ଯୋଗାଇଦେବାକୁ ନବୀନ ନିର୍ବାଚନ ସଭାରେ ପ୍ରତିଶୃତି ଦେଇଛନ୍ତି । ଯେଉଁଥିରୁ ମହିଳା ମାନେ ବାର୍ଷିକ ୫ଶହ କୋଟି ଟଙ୍କା ଲାଭ ପାଇପାରିବେ । ଏହାପୂର୍ବରୁ ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ସଂସଦରେ ଏକ ବିଲ ମଧ୍ୟ ଆଣିଥିଲା ବିଜେଡି ଦଳ । ଏପରିକି ୨୦୧୯ ନିର୍ବାଚନରେ ୨୧ ଲୋକସଭା ଆସନରୁ ୭ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇଛନ୍ତି ନବୀନ । ମହିଳାଙ୍କୁ ଉଭୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିବାକୁ ନବୀନଙ୍କ ଏହି ପ୍ରତିଶୃତି ବିଜେଡି ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।

କେବଳ ନବୀନ ନୁହଁନ୍ତି ବରଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପୂର୍ବରୁ ଓଡିଶାରେ ମହିଳା କାର୍ଡ ଖେଳିଥିଲେ । ଜୟପୁର ଗସ୍ତରେ ଆସିଥିବା ବେଳେ ରାହୁଲ ମହିଳାଙ୍କ ପାଇଁ ପ୍ରତିଶୃତିର ପାହାଡ ଛିଡା କରିଥିଲେ । ଯଦି ଯଦି ରାଜ୍ୟରେ କଂଗ୍ରେସ ସରକାର ଗଢେ ତେବେ ପ୍ରତ୍ୟେକ ମହିଳାଙ୍କୁ ମାଗଣା ଶିକ୍ଷା ଦିଆଯିବା ସହ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏପରିକି ବିଧବା ମହିଳା ମାନଙ୍କୁ ପେନସନ ଅର୍ଥ ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଶୁଣିବା ସହ ନ୍ୟାୟ ଦେବାକୁ ପ୍ରତି ପଞ୍ଚାୟତରେ ଜଣେ ସ୍ୱତନ୍ତ୍ର ଅଫିସର ନିଯୁକ୍ତ କରାଯିବ ବୋଲି କହିଥିଲେ ରାହୁଲ ।

ତେବେ ମହିଳାଙ୍କ ଉପରେ କାହିଁକି ଫୋକସ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏହା ପଛର ମୁଖ୍ୟ କାରଣ ହେଉଛି ମହିଳା ଭୋଟବ୍ୟାଙ୍କ । ମହିଳା ଭୋଟବ୍ୟାଙ୍କ ହିଁ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ସାଜିବ । ଅଥାର୍ତ ଯିଏ ମହିଳାଙ୍କ ମନ ଜିଣିପାରିଲା ସେହି ଦଳ ହିଁ ବିଜୟ ବାନା ଉଡାଇବ । ଏଭଳି କହିବା ପଛର କାରଣ ହେଉଛି, ରାଜ୍ୟରେ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ଜଣ ମହିଳା ଭୋଟର ରହିଛନ୍ତି । ଯାହା ମୋଟ ଭୋଟରଙ୍କ ୪୮.୬୨ ପ୍ରତିଶତ । ତେଣୁ ମହିଳା ଆଗାମୀ ନିର୍ବାଚନରେ ଗେମଚେଞ୍ଜର ସାଜିପାରନ୍ତି । ତେଣୁ ମହିଳା ଭୋଟବ୍ୟାଙ୍କକୁ ହାତଛଡା କରିବାକୁ ଚାହୁଁନାହାଁନ୍ତି ଦଳ । ୨୦୧୯ ନିର୍ବାଚନରେ କୌଣସି ଦଳର ବିଜୟ ପଛର କର୍ଣ୍ଣଧାର ସାଜି ଉଭା ହୋଇପାରନ୍ତି ମହିଳା । ଯେଉଁଥିପାଇଁ ଏବେ ବିଜେଡି, ବିଜେପି ଓ କଂଗ୍ରେସର ଫୋକସରେ ରହିଛନ୍ତି ମହିଳା । ଯଦି ୨୦୧୪ ନିର୍ବାଚନ କଥା କହିବା ତେବେ ଅଧିକାଂଶ ଭୋଟ ଶିବିରକୁ ଯାଇଥିଲା । ଯାହା ବିଜେଡିକୁ ଚତୁର୍ଥ ଥର ପାଇଁ ଶାସନଗାଦିରେ ବସିବାରେ ସାହାଯ୍ୟ କରିଥିଲା ।