କାମ ଦେଲା ମହିଳା କାର୍ଡ, ବିଜୟୀ ହେଲେ ନବୀନ । ସ୍ୱୟଂ ସହାୟିକା ଗୋଷ୍ଠୀ ସାଜିଲା ସମର୍ଥନର ବଡ ପୁଞ୍ଜି, ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଘୋଷଣା ଦେଲା ବଡ ଫାଇଦା

କାମ ଦେଲା ମହିଳା କାର୍ଡ, ବିଜୟୀ ହେଲେ ନବୀନ । ସ୍ୱୟଂ ସହାୟିକା ଗୋଷ୍ଠୀ ସାଜିଲା ସମର୍ଥନର ବଡ ପୁଞ୍ଜି, ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଘୋଷଣା ଦେଲା ବଡ ଫାଇଦା

କନକ ବ୍ୟୁରୋ : ବିଜେଡିର ବିପୁଳ ବିଜୟ ପଛରେ ମହିଳାଙ୍କ ସମର୍ଥନ ସବୁଠୁ ବଡ କାରଣ ଥିଲା ବୋଲି କୁହାଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସମର୍ଥନ ଯୋଗାଡ କରିପାରିଥିଲା ଦଳ । ଓଡିଶାରେ ପ୍ରାୟ ଦେଢ କୋଟି ମହିଳା ଭୋଟର ଥିବା ବେଳେ, ବିଜୁ ଜନତା ଦଳ ଏଥିପାଇଁ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ବିଜୟର ଠିକ୍ ପରେ ପରେ ମହିଳାଙ୍କୁ ଧନ୍ୟବାଦ ଦେଇଥିଲେ । ବିଜେପି ମଧ୍ୟ ସ୍ୱୀକାର କରିଛି, ବିଜେଡି ଏଦିଗରେ ନିର୍ଦ୍ଦିଷ୍ଟ ରଣନୀତି ଆପଣାଇଥିଲ।।

publive-image୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ, କମ ସମୟର ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ଲକ୍ଷ୍ୟ କରିବାର କଥା ଏହି କମ ସମୟର ପ୍ରତିକ୍ରିୟାରେ ରାଜ୍ୟର ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିଜୟର ଶ୍ରେୟ ଦେବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । କାରଣ, କୁହାଯାଉଛି ବିଜେଡିର ଏହି ସଫଳତା ପଛରେ ରହିଛି ନବୀନଙ୍କ ମହିଳା କାର୍ଡର ଫର୍ମୂଲା । ଓଡିଶା ବିଧାନସଭା ପାଇଁ ୪ ପର୍ଯ୍ୟାୟରେ ହୋଇଥିବା ଏହି ମତଦାନ ପ୍ରକ୍ରିୟା ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ସଫଳତାର ସହ ଗୋଟି ଚାଳନା କରିଥିଲା ବିଜେଡି ।

ପ୍ରତିଶୃତି ମୁତାବକ ୩୩ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ ଦେବା ସହ ମହିଳା ଏସଏଚଜିକୁ ଅଧିକ ସହାୟତା ପ୍ରଦାନ କରି ନବୀନ ମହିଳାଙ୍କୁ ପ୍ରଭାବିତ କରିପାରିଥିଲେ । ଆଉ ଯାହାକୁ ପରୋକ୍ଷରେ ସ୍ୱୀକାର କରିଛି ବିରୋଧୀ ବିଜେପି । ମହିଳା ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ସରକାରଙ୍କୁ ଘେରିଆସିଛନ୍ତି ବିରୋଧୀ । କିନ୍ତୁ ରାଜ୍ୟ ମହିଳା ସମାଜ ପାଇଁ ନବୀନଙ୍କ ବିଭିନ୍ନ ଯୋଜନା ଗତ ନିର୍ବାଚନଗୁଡିକ ପରି ଏଥର ମଧ୍ୟ ବିଜେଡିର ହାତମୁଠାକୁ ମଜବୁତ କରିବାରେ ସହାୟକ ହୋଇଛି ।

ଏଥର ନିର୍ବାଚନରେ ଓଡିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ଥିଲା ୧ କୋଟି ୬୩ ଲକ୍ଷ ଓ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୧ କୋଟି ୫୪ ଲକ୍ଷ । ଏହି ସଂଖ୍ୟାରୁ ଆପଣ ସହଜରେ ଅନୁମାନ କରିପାରିବେ, ଯଦି ମହିଳା ଭୋଟରଙ୍କ ପାଇଁ ନିର୍ଦ୍ଦିଷ୍ଟ ରରନୀତି ପ୍ରସ୍ତୁତ କରାଯାଏ ତେବେ ବିଜୟ ହୁଏତ ସହଜ ହୋଇଯାଇପାରେ ।ଆଉ ଏହି ରଣନୀତି ହିଁ ବିଜେଡିକୁ ଏତେ ବଡ ସଫଳତା ଦେବାରେ ସହାୟକ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe