କନକ ବ୍ୟୁରୋ : ମହିଳା ଟ୍ରାଫିକ ପୋଲିସଙ୍କ ମହାନତା । ମଧ୍ୟାହ୍ନର ନିର୍ଧୁମ ଖରା, ରାଜଧାନୀ ରାଜରାସ୍ତାରେ ଜଣେ ବୃଦ୍ଧ ଯାଉଥିବା ବେଳେ ପଡି ଯାଇଥିଲେ । ତଳେ ପଡି ଛଟପଟ ହୋଇ ଚେତା ହରାଇଥିଲେ । ଆଉ ସେହି ସମୟରେ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜିଥିଲେ ସେଠାରେ କାର୍ଯ୍ୟରତ ମହିଳା କନେଷ୍ଟବଳ । ସଙ୍ଗେସଙ୍ଗେ ବୃଦ୍ଧଙ୍କ ପାଖକୁ ଦୌଡି ଯାଇଥିଲେ । ବୃଦ୍ଧଙ୍କୁ ରାସ୍ତାକଡକର ଏକ ଗଛ ଛାଇକୁ ନେଇ ମୁହଁରେ ପାଣି ଛାଟି ସାଷ୍ଟାମ କରିବାକୁ ଚେଷ୍ଟା କରିଥିଲେ । ଭୁବନେଶ୍ୱର ଓଡିଏମ୍ ଛକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ମୁଣ୍ଡରେ ପାଣି ଛାଟି ପାଣି ପିଆଇ, ପିସିଆର ଭ୍ୟାନକୁ ଫୋନ କରିଥିଲେ । ପୁଲିସ ଭ୍ୟାନ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ମହିଳା କନେଷ୍ଟବଳ ଉର୍ମିଲା ସ୍ୱାଇଁଙ୍କ ଏହି ମାନବୀୟ ସହୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୃଦ୍ଧଙ୍କୁ ଉର୍ମିଲା ସାହାଯ୍ୟ କଲେନି ବରଂ ଜୀବନ ବଂଚାଇଦେଲେ । ଉର୍ମିଲା ଜଣେ ବାଟୋଇଙ୍କ ପାଇଁ ଦେଖାଇଥିବା ଦରଦକୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି ।