ମୁଣ୍ଡ ଉପରୁ ହଟିଗଲା ମାଆର ପଣତ… ଜୁଇରେ ଜଳିଗଲା କୁନି ଝିଅର ଆଶା ଆଉ ସ୍ୱପ୍ନ । ଲକଡାଉନ ପାଇଁ ମୁଠେ ଦାନା ଯୋଗାଡ ନକରିପାରି ଆତ୍ମହତ୍ୟା କଲେ ଶାନ୍ତିଲତା…

318

କନକ ବ୍ୟୁରୋ: ବିଗତ ବର୍ଷ କୋଭିଡ ମହାମାରୀ ଲାଗି ଅନେକ ଘଟଣା ଘଟିଯାଇଥିଲା । ଅନେକ ଜୀବିକା ହରାଇଥିଲେ ତ ଅନେକ ଜୀବନ ଭି ହରାଇଥିଲେ । ଅନେକ ସଂସାର ଉଜୁଡି ଯାଇଥିଲା । ଦୀର୍ଘ ଦଶମାସ ର କଟକଣା ପରେ ଫେରିଆସିଥିଲା ପୁଣି ସେହି ପୁରୁଣା ଦିନ । ହେଲେ ଚଳିତ ବର୍ଷ ପୁଣି ସେହି ଦିନ ଫେରିଲା ପୁଣି ଆରମ୍ଭ ହୋଇଗଲା ମୃତ୍ୟୁ ର ତାଣ୍ଡବ ଆଉ ପୁଣି ଉଜୁଡିବାରେ ଲାଗିଲା ଅନେକ ସୁନାର ସଂସାର ।

ମେଡିକାଲ ବାରଣ୍ଡାରେ ପଡି କାନ୍ଦୁଛି କୁନି ଝିଅ । ଲୁହକୁ ଛାଡି ଦେଲେ ଆଉ କିଛି ତା’ପାଖରେ ନାହିଁ । ସେ ଆଜି ଅସହାୟ, ନିଃସ୍ୱ । ତା ମୁଣ୍ଡ ଉପରୁ ହଟିଯାଇଛି ମାଆର ପଣତ, ଭାଙ୍ଗି ଯାଇଛି ସ୍ୱପ୍ନ, ଜୁଇରେ ଜଳି ଯାଇଛି ତା’ ଆଶା । ଜୁଇରେ ଜଳୁଛି ଗଞ୍ଜମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭିକାପଡ଼ା ଗାଁର ଶାନ୍ତିଲତାଙ୍କ ଶବ । ଆଉ ମାଆ ଚାଲି ଯିବା ପରେ ଏକୁଟିଆ ଜୀବନ ଜୀଇଁବ କେମିତି ସେଇ ଚିନ୍ତାରେ ହତବାକ୍ ହୋଇଯାଇଛି ଝିଅ ।

ବାପା ରଥ ନାହାକ, ସ୍ତ୍ରୀ-ପିଲାଙ୍କୁ ଛାଡି ଅନ୍ୟତ୍ର ବାହା ହୋଇଯିବା ପରେ ଦୁଇ ଝିଅଙ୍କୁ ନେଇ ଶନ୍ତିଲତାଙ୍କ ସଂସାର । ହଠାତ୍ ବଡ ଝିଅ ଅସୁସ୍ଥ ହୋଇ ପ୍ରାଣ ହରାଇବା ପରେ ସାନ ଝିଅ ଲିଜାକୁ ଆଶ୍ରା କରି ବଂଚୁଥିଲେ । ହେଲେ କରୋନା କାଳରେ ୧୧ ବର୍ଷର ଝିଅ ମୁହଁରେ ଦାନା ଦେଇ ନପାରି, ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଗଲେ ଜୁଇରେ ଶୋଇଥିବା ଏହି ଅସହାୟ ମାଆ ।

ଜୀବନ ବିକଳରେ ମାଆକୁ ଖଲ୍ଲିକୋଟ ଡାକ୍ତରଖାନା ଆଣିଥିଲା ଝିଅ । ହେଲେ ଡାକ୍ତର ମୃତ ଘୋଷଣା କରିବା ପରେ ତା’ ପାଦ ତଳୁ ମାଟି ଖସି ଯାଇଛି । ମା’ ଚାଲି ଯିବା ପରେ ଆହା କହିବାକୁ କେହି ନଥିବା ବେଳେ ସାହା ହେବ କିଏ ତାକୁ ନେଇ ଚିନ୍ତିତ ଝିଅକୁ ସହଯୋଗର ହାତ ବଢାଇଛି ଗଂଜାମ ଜିଲ୍ଲା ପ୍ରଶାସନ ।