ଫାଣ୍ଡି ପରିସରରେ କଙ୍କାଳ ମିଳିବା ଘଟଣା । ଯେତିକି ଉତ୍ତର ମିଳୁଛି, ସେତିକି ପ୍ରଶ୍ନ ବଢ଼ୁଛି । ମହିଳାଙ୍କ ପରିଚୟ ପାଇଁ କମିସନରେଟ୍ ପୁଲିସର ତନାଘନା

164

କନକ ବ୍ୟୁରୋ: ବିଳମ୍ବରେ ହେଲେ ସୁଦ୍ଧା କଙ୍କାଳର କାହାଣୀ ଉପରୁ ପରଦା ହଟାଇବା ପାଇଁ ଗମ୍ଭୀରତାର ସହ ଛାନଭିନ୍ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍ । ମୃତ୍ୟୁର ୬ ମାସ ପରେ କଙ୍କାଳ ଉଦ୍ଧାର ହେବା ଏବଂ କଙ୍କାଳ ମିଳିବାର ଗୋଟିଏ ମାସ ଯାଏଁ ଏକ ପ୍ରକାର ନିରବ ଥିବା ପୁଲିସ୍ ପ୍ରଶାସନ, ଏବେ ଘନ ଘନ ସାମ୍ବାଦିକ ସମ୍ମିଳନୀ ଜରିଆରେ ତଦନ୍ତର ପ୍ରତିଟି ଦିଗ ଉପରେ ସୂଚନା ଦେଉଛି । ତେବେ ଏହି କଙ୍କାଳ କାହାର? ତା ଉପରେ ହିଁ ପୁରା ଛାନଭିନ୍ ଘୁରି ବୁଲୁଛି । ମୃତ ମହିଳାଙ୍କ ପରିଚୟ ମିିଳିଲେ, ମୃତ୍ୟର କାରଣ ପାଖକୁ ପହଂଚିବାରେ ହୁଏତ ପୁଲିସ୍ ପାଇଁ ସହାୟକ ହେବ । ଆଉ ଏଥିପାଇଁ କଙ୍କାଳର ପରିଚୟ ଖୋଜିବା ପାଇଁ ଏକାଧିକ ପ୍ରୟାସ କରାଯାଉଛି।

କଙ୍କାଳକୁ ହାଇଦ୍ରାବାଦ ଜରିଆରେ ପରୀକ୍ଷା ପାଇଁ ବାଙ୍ଗାଲୋରର ଏକ ଲ୍ୟାବକୁ ପଠାଯାଇଛି । କଙ୍କାଳକୁ ଆଧାର କରି ଦିନେ ଦୁଇ ଦିନ ଭିତରେ ଏକ ସ୍କେଚ୍ ତିଆରି ହେବ । ସେହି ସ୍କେଚ୍ ଆସିବା ପରେ ପରିଚୟ ଖୋଜିବା ଦିଗରେ ବ୍ୟବହାର କରାଯିବ । ସ୍କେଚଟି ପ୍ରାୟ ୬୦ ପ୍ରତିଶତ ଯାଏଁ ମୃତ ମହିଳାଙ୍କ ଚେହେରା ସହ ମିଶିଯିବାର ସଂଭାବନା ରହିଛି । ଦିନେ କି ଦୁଇ ଦିନ ଭିତରେ ସ୍କେଚ୍ ଆସିବ ବୋଲି ସୂଚନା ଦିଆଯାଇଛି । ତେବେ ଏହାରି ଭିତରେ ଭୁବନେଶ୍ୱର ମହିଳା ଥାନା ଆଇଆଇସି ଏବଂ ଜଟଣୀ ଥାନା ଆଇଆଇସି ଜୋନ୍ ଏସପି ଘଟଣା ସ୍ଥଳକୁ ଯାଇ ପାରିପାଶ୍ୱିର୍କ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏପଟେ ମୃତ ମହିଳାଙ୍କ ପରିଚୟ ଖୋଜିବା ପାଇଁ ଉଦ୍ଧାର ହୋଇଥିବା ସାମଗ୍ରୀର ଫେଟୋ ରାଜ୍ୟର ସମସ୍ତ ଥାନାକୁ ପଠାଯିବ ।

ଏହିସବୁ ଉଦ୍ୟମ ପୂର୍ବରୁ କଙ୍କାଳ ମିଳିବା ଘଟଣାକୁ ନେଇ ମାନବାଧିକାର କମିଶନଙ୍କୁ ଅବଗତ କରି ସାରିଛି କମିଶନରେଟ୍ ପୁଲିସ୍ । ଯେହେତୁ କଙ୍କାଳ ଫାଣ୍ଡି ପରିସରରୁ ମିଳିଥିଲା, ତେଣୁ ମାନବାଧିକାର କମିଶନଙ୍କୁ ଜଣାଯାଇଥିବା ସୂଚନା ଦିଆଯାଇଛି । ହେଲେ ଏତେ କସରତ ଭିତରେ କିନ୍ତୁ ଫାଣ୍ଡି ପରିସରକୁ ମୃତଦେହ ଆସିଲା କେମିତି? ଗୋଟିଏ ମାସ ଯାଏଁ ପୁଲିସ୍ ଚୁପ୍ ଥିଲା କାହିଁକି? ପୁଲିସ ଅବହେଳାରେ କାର୍ଯ୍ୟାନୁଷ୍ଠାନ ପାଇଁ ମାସେ କାହିଁକି ଲାଗିଲା? ତାର କୌଣସି ସ୍ପଷ୍ଟ ଉତ୍ତର ମିଳିପାରିନାହିଁ ।