ମହିଳା ସ୍ୱୟଂସହାୟକ ଗୋଷ୍ଠୀର ନିଆରା ପ୍ରୟାସ, କେବଳ ପ୍ୟାକେଜିଂ କରି ହୋଇଛନ୍ତି ସ୍ୱାବଲମ୍ବୀ

100

କନକ ବ୍ୟୁରୋ : କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ.. ଏଇ ଯେମିତି କଟକ ଆଠଗଡ଼ ବ୍ଲକ କଟକିଆ ସାହିର ମହିଳା ମାନେ । ରୋଜଗାର ପାଇଁ ଇଛାକଲେ ଆଉ କିଛି କରିବାକୁ ବାଟ ପାଇଗଲେ । ବିଶେଷକରି ଚାକିରି କରି ରୋଜଗାର କରିବାକୁ ପ୍ରାୟ ସମସ୍ତେ ଆଶା କରିଥାଆନ୍ତି । କେଉଁଠି କିଛି ନମିଳିବା ପରେ ସେମାନେ ଉପାୟ ଶୂନ୍ୟ ହୋଇ ଘରେ ବସିରହି ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି । କିନ୍ତୁ ଏସବୁକୁ ଭୁଲ ପ୍ରମାଣିତ କରିଛନ୍ତି ଏହି ମହିଳା ମାନେ । କଟକ ମାଲଗୋଦାମରୁ କଂଚାମାଲ ଆଣି ଏହାକୁ ପ୍ୟାକେଟିଂ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଉଛନ୍ତି । ଏଥିରୁ କିଛି ରୋଜଗାର କରୁଛନ୍ତି ।

ବ୍ୟବସାୟ ଆରମ୍ଭ କରିବା ପାଇଁ ୧୦ ଜଣ ମହିଳା ଏକାଠି ହୋଇ ୫୦ ହଜାର ଟଙ୍କା ପୁଂଜିନିବେଶ କରିଥିଲେ । ଦୁଇ ମାସ ଭିତରେ ଏହି ବ୍ୟବସାୟ ମହିଳାଙ୍କୁ ଲାଭ ଦେଇଛି । ବେସନ, ମଇଦା, ବୁଟଡ଼ାଲି, ସୁଜି, ଶୁଖିଲାଲଙ୍କା ଭଳି କଂଚାମଲ ଆଣି ୧ କିଲୋ ଓ ଅଧକିଲୋ ପ୍ୟାକେଟିଂ କରି ଏହାକୁ ଦୋକାନ ମାନଙ୍କରେ ବିକ୍ରି କରୁଛନ୍ତି ।

ମାସକୁ ମାତ୍ର ୧୦ ଦିନ ପ୍ରଡ଼କ୍ଟ ସପ୍ଲାଇ କରନ୍ତି । ଅନ୍ୟଦିନ ମାନଙ୍କରେ ମାତ୍ର ଦୁଇ ଘଂଟା କାମ କରି ଏବେ ମାସକୁ ୭ରୁ ୮ ହଜାର ଟଙ୍କା ଲାଭ ପାଉଥିବା ସେମାନେ କହିଛନ୍ତି । ଆଗାମି ଦିନରେ ବ୍ୟବସାୟ ଆହୁରି ଆଗକୁ ବଢାଇବା ପାଇଁ ମହିଳା ମାନେ ଆଶା ରଖିଛନ୍ତି ।