କୋରାପୁଟରେ ତରଭୁଜ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ଗୋଟିଏ ଏକର ଚାଷରୁ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର ।

138

କନକ ବ୍ୟୁରୋ : କୋରାପୁଟ ଲମତାପୁଟ ଅଂଚଳରେ ଏବେ ମହିଳାମାନେ ତରଭୁଜ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ବାଂଗୁରୁପଡ଼ା, ପଇବେଡା, କନାଗାଁ, ରାଣୀତୋଟା ଭଳି ଗାଁରେ ଶହେ ଏକରରୁ ଅଧିକ ଜମିରେ ଏଥର ତରଭୁଜ ଚାଷ ହୋଇଛି । ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବିହନ ଯୋଗାଇବା ସହ ଚାଷ ପାଇଁ ପାଣିର ସୁବିଧା ମଧ୍ୟ କରାଯାଉଛି । ଚାଷୀମାନେ ଗୋଟିଏ ଏକର ଚାଷରୁ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରୁଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରଦାନ’ ମଧ୍ୟ ସହାୟତା ଯୋଗାଇ ଦେଉଛି ।

ଲମତାପୁଟ ଏକ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏଠାରେ ଲୋକମାନେ ସାଧାରଣତଃ ଧାନ, ମାଣ୍ଡିଆ, ଶୁଆଁ ଭଳି ଚାଷ କରିଥାନ୍ତି । ଅଂଚଳରେ କମ୍ ପନିପରିବା ଚାଷ ହୋଇଥାଏ । ଏବେ କିନ୍ତୁ ସ୍ଥିତି ବଦଳୁଛି । ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ ଆରମ୍ଭ ହୋଇଛି । ପ୍ରଦାନ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସହାୟତା କରୁଛି । ମହିଳା ଚାଷୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ନୂତନ ଜ୍ଞାନ କୌଶଳର ତାଲିମ ସହ ବିହନ, ଜୈବିକ ଖତ ଦେବାରେ ସାହାଯ୍ୟ କରୁଛି । ବାଂଗୁରୁପଡ଼ା, ପଇବେଡା, କନାଗାଁ, ରାଣୀତୋଟା ଭଳି ଗାଁରେ ଶହେ ଏକରରୁ ଅଧିକ ଜମିରେ ଏଥର ତରଭୁଜ ଚାଷ ହୋଇଛି । ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବିହନ ଯୋଗାଇବା ସହ ଚାଷ ପାଇଁ ପାଣିର ସୁବିଧା ମଧ୍ୟ କରାଯାଉଛି । ଚାଷୀମାନେ ଗୋଟିଏ ଏକର ଚାଷରୁ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରୁଛନ୍ତି ।

ନିକଟରେ କୋରାପୁଟ ଜିଲ୍ଲାପାଳ ଓ ସ୍ଥାନୀୟ ବିଡିଓ ମଧ୍ୟ କ୍ଷେତ୍ରପରିଦର୍ଶନ କରି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଲମତାପୁଟ ଅଂଚଳରେ ବେଆଇନ ଗଞ୍ଜେଇ ଚାଷ ଖବର ସାମ୍ନାକୁ ଆସୁଥିଲା । ହେଲେ ଏବେ ଏଠାକାର ଲୋକେ ବିଭିନ୍ନ ଶସ୍ୟ ଓ ପନିପରିବା ଚାଷ କରି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଛନ୍ତି ।