କାଇଁଚ ରାକ୍ଷୀର ବଢୁଛି  ଚାହିଦା । ଆକର୍ଷଣୀୟ ସାଙ୍ଗକୁ ବଜାରରେ ମିଳୁଛି ବିଭିନ୍ନ ଡିଜାଇନର ରାକ୍ଷୀ, ପାଖାପାଖି ୪୦ ଜଣଙ୍କୁ ସ୍ୱାବଲମ୍ବୀ କରିଛି କାଇଁଚ ରାକ୍ଷୀ ।

182

କନକ ବ୍ୟୁରୋ : ଗୋଲଡେନ ଗ୍ରାସ ବା କାଇଁଚରେ ତିଆରି ରାକ୍ଷୀ ମହିଳାଙ୍କୁ ଦେଇଛି ରୋଜଗାର । ଏହି ରାକ୍ଷୀ ଗୁଡିକ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ ମଧ୍ୟ । ବଜାରରେ ସାଧାରଣ ଭାବେ ଉପଲବ୍ଧ ହେଉଥିବା ରାକ୍ଷୀ ଠାରୁ ସମ୍ପୂର୍ଣ ଅଲଗା ଏଇ କାଇଁଚର ରାକ୍ଷୀ । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଚମ୍ପାପୁର ଗାଁର ପାଖାପାଖି ଚାଳିଶ ଜଣ ମହିଳା ନିଜ ହାତରେ ଆକର୍ଷଣୀୟ ଡିଜାଇନର କାଇଁଚ ରାକ୍ଷୀ ତିଆରି କରି ବେଶ୍ ଦୁଇପଇସା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି ।

ବଡଚଣା ବ୍ଲକ ଚମ୍ପାପୁର ଗାଁର ମହିଳା । ଏହି ମହିଳାମାନଙ୍କର କାରିଗରୀର ବିଶେଷତ୍ୱ ହେଉଛି ଏମାନେ ବିଗତ ଦିନରେ କାଇଁଚରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି । ମାତ୍ର କରୋନା ଯୋଗୁଁ କାଇଁଚ ତିଆରି ସାମଗ୍ରୀର ଚାହିଦା କମିଥିବାରୁ ଏମାନେ ତିଆରି କରୁଛନ୍ତିି କାଇଁଚର ରାକ୍ଷୀ । ଭଳିକି ଭଳି ଆକର୍ଷଣୀୟ ଡିଜାଇନର ରାକ୍ଷୀ । କିଏ ରାକ୍ଷୀ ତିଆରି କରୁଛି ତ ଆଉ କିଏ ରାକ୍ଷୀ ଗୁନ୍ଥିବା ସହ ପ୍ୟାକିଂ କରିବାରେ ବ୍ୟସ୍ତ । ପାଖାପାଖି ଚାଳିଶ ଜଣ ମହିଳା ନିଜ ହାତରେ ଆକର୍ଷଣୀୟ ଡିଜାଇନର ରଙ୍ଗବେରଙ୍ଗର କାଇଁଚରେ ରାକ୍ଷୀ ତିଆରି କରି ବେଶ୍ ଦୁଇପଇସା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି । ଆଉ ଏମାନେ ତିଆରି କରୁଥିବା ରାକ୍ଷୀର ଚାହିଦା କେବଳ ଯାଜପୁର ଜିଲ୍ଳା କାହିଁକି ବାହାର ଜିଲ୍ଳାରେ ମଧ୍ୟ ବଢିଛି । ଯାହାକି ଏହି ଗ୍ରାମୀଣ ମହିଳାମାନଙ୍କର ରୋଜଗାରକୁ ବଢାଇଛି ।

୨୦୧୩ ମସିହାର ଚମ୍ପାପୁର ଗାଁର ୪୦ଜଣ ମହିଳା ଏକାଠି ହୋଇ କାଇଁଚର ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ କଳିଙ୍ଗନଗର ଶିଳ୍ପକେନ୍ଦ୍ର ପକ୍ଷରୁ ଏମାନଙ୍କୁ ସବୁ ପ୍ରକାର ସହଯୋଗ ମିଳିଥିଲା ।  ସେହିପରି କାଇଁଚରେ ପ୍ରସ୍ତୁତ  ରାକ୍ଷୀ ଗୁଡିକ ବିକ୍ରିବଟା ନିମନ୍ତେ ଓରମାସ୍ ସହଯୋଗର ହାତ ବଢାଇଥିଲା  । ଓରମାସ ପକ୍ଷରୁ ଏମାନଙ୍କୁ ପ୍ରଶିକ୍ଷଣ ଓ ପ୍ରସ୍ତୁତି ସାମଗ୍ରୀର ବିକ୍ରିପାଇଁ ଷ୍ଟଲ ମଧ୍ୟ ଯୋଗାଇ ଦେଇଥିଲା । ରାକ୍ଷୀ ପୂର୍ଣ୍ଣମୀକୁ ଆଖିଆଗରେ ରଖି ଏହି ଚମ୍ପାପୁର ଗାଁର ମହିଳାମାନେ  ଦୁଇମାସ ଭିତରେ ପାଖାପାଖି ୬୦ହଜାର ଟଙ୍କାର ରାକ୍ଷୀ ବିକ୍ରି କରିବାରେ ସକ୍ଷମ ହୋଇଛନ୍ତି । ଏମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀ ଗୁଡିକ ୨୫ଟଙ୍କାର ୫୦ଟଙ୍କା ଯାଏ ଦେଇ ଗ୍ରାହକମାନେ ଆଗ୍ରହର ସହ କିଣୁଥିବାରୁ ଏହି ଗ୍ରୁପ ମହିଳାମାନେ ଲାଭବାନ ହୋଇ ଦୁଇପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି ।  ତେବେ ସରକାରଙ୍କ ପକ୍ଷରୁ କାଇଁଚ ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଏହି ଗ୍ରାମୀଣ ମହିଳାମାନେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ ।