ଚାକିରି ଦେବାରେ ବିଫଳ ମୋଦି ସରକାର । ଅକ୍ସଫାମ ରିପୋର୍ଟ ଖୋଲିଲା ଗୁମର । ୨୦୧୪ ବେଳକୁ ଦେଇଥିଲେ ପ୍ରତିଶ୍ରୃତି ୨୦୧୯ରେ ହୋଇଗଲେ ଫେଲ
କର୍ମ କ୍ଷେତ୍ରରେ ଉତ୍କଟ ହେଉଛି ଲିଙ୍ଗଗତ ବିଭେଦତା ଏବଂ ପାରିଶ୍ରମିକ ଅସମାନତା, ବିକାଶର ପ୍ରକ୍ରିୟା ଭିତରେ ରୋଜଗାର ହରାଉଛନ୍ତି ଲକ୍ଷ ଲକ୍ଷ ଲୋକ
କନକ ବ୍ୟୁରୋ: ନିଯୁକ୍ତିକୁ ନେଇ ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ୍ ଇଣ୍ଡିଆ । ଏହି ରିପୋର୍ଟରେ କୁହାଯାଇଛି, ଦେଶ ଆଗଉଛି, ହେଲେ ନିଯୁକ୍ତି କମିବାରେ ଲାଗିଛି । ଜୀବିକା ହରାଉଛନ୍ତି ଲକ୍ଷ ଲକ୍ଷ ଲୋକ । କର୍ମକ୍ଷେତ୍ରରେ ଲିଙ୍ଗଭେଦ ଓ ମଜୁରୀରେ ଅସମାନତା ପରିଲଖିତ ହେଉଛି । ଠିକା କର୍ମଚାରୀଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି ଘରୋଇ ସଂସ୍ଥା । ସାମଜିକ ସୁରକ୍ଷା ଅଭାବରୁ ଦୟନୀୟ ସ୍ଥିତିରେ ବଂଚୁଛନ୍ତି ଶ୍ରମିକ । ବିକାଶ ସହ ନିଯୁକ୍ତି କ୍ଷେତ୍ରକୁ ସମୃଦ୍ଧ କରିବାକୁ ପରାମର୍ଶ ଦେଇଛି ଅକ୍ସଫାମ ଇଣ୍ଡିଆ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୪୫ ବର୍ଷରେ ବେକାରୀ ସମସ୍ୟା ସବୁଠୁ ଉକ୍ରଟ ଥିବା ନେଇ ଜାତୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ହଇଚଇ ସୃଷ୍ଟି କରିବା ପରେ ଆସିଛି ଅକ୍ସଫାମ୍ ଇଣ୍ଡିଆର ରିପୋର୍ଟ । ଦେଶରେ ବଢ଼ୁଥିବା ବେକାରୀ ସମସ୍ୟା ନେଇ ଉଦବେଗ ପ୍ରକାଶ ପାଇଛି ଅକ୍ସଫାମର ଏହି ରିପୋର୍ଟରେ । ବିଭିନ୍ନ ସର୍ଭେକୁ ଅନୁଶୀଳନ ପରେ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଅକ୍ସଫାମର ରିପୋର୍ଟ କହୁଛି, ବିକାଶର ନୂଆ ମଡେଲ ଯୋଗୁଁ ଲକ୍ଷ ଲକ୍ଷ ଲୋକ ହରାଉଛନ୍ତି କାମ । ଅର୍ଥାତ୍ ଦେଶ ବିକାଶ ପଥରେ ଆଗଉଛି, ଜିଡିପି ବଢ଼ୁଛି, ହେଲେ ଲୋକେ ହରାଉଛନ୍ତି ଜୀବିକା । କର୍ମ କ୍ଷେତ୍ରରେ ଲିଙ୍ଗଭେଦ, ପାରିଶ୍ରମିକ ଅସମାନତା ବଢ଼ିବାରେ ଲାଗିଛି ।
ସଂଗଠିତ କ୍ଷେତ୍ରରେ ଠିକା ଶ୍ରମିକଙ୍କ ଗୁରୁତ୍ୱ ବଢ଼ିବାରେ ଲାଗିଛି । ଏହି ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାକୁ ଆଖିବୁଜି ଦେଉଛନ୍ତି ଘରୋଇ କ୍ଷେତ୍ର । ୨୦ ବର୍ଷ ଭିତରେ ସ୍ଥାୟୀ କର୍ମଚାରୀଙ୍କ ପାରଶ୍ରମିକ ୧୦ ଗୁଣା ବଢ଼ିଥିବା ବେଳେ ଠିକା ଶ୍ରମିକଙ୍କ ଦରମା ମାତ୍ର ୪ ଗୁଣା ବୃଦ୍ଧି ପାଇଛି । ବାର୍ଷିକ ଶିଳ୍ପ ସର୍ବେକ୍ଷଣ ରିପୋର୍ଟକୁ ଉଲ୍ଲେଖ କରି ଅକ୍ସଫାମ୍ ତା’ ରିପୋର୍ଟରେ ଦର୍ଶାଇଛି, ୮୦ ଦଶକରେ ମୋଟ ଲାଭାଂଶର ୩୦ ପ୍ରତିଶତ ଶ୍ରମିକଙ୍କ ପାରିଶ୍ରମିକ ବାବଦରେ ଖର୍ଚ୍ଚ ହେଉଥିଲା, ଏବେ ତାହା ହ୍ରାସ ପାଇ ୨୦ ପ୍ରତିଶତରେ ପହଁଚିଛି ।
କର୍ମକ୍ଷେତ୍ରରେ ମହିଳାଙ୍କ କମ୍ ଯୋଗଦାନ ନେଇ ଉଦବେଗ୍ ପ୍ରକାଶ ପାଇଛି ଏହି ରିପୋର୍ଟରେ । ଆଉ ଯେଉଁମହିଳା ଶ୍ରମିକ କାର୍ଯ୍ୟ କରୁଛନ୍ତି ସେମାନେ ଲିଙ୍ଗଭେଦର ଶିକାର ହେଉଛନ୍ତି । ସମାନ କାମ ପାଇଁ ସେମାନଙ୍କୁ ସମାନ ମଜୁରୀ ମିଳୁନାହିଁ । ଜାତି ଓ ଧର୍ମ ଭଳି ସାମାଜିକ ପୃଷ୍ଠଭୂମିରେ ମଧ୍ୟ ମଜୁରୀ ଅସମାନତା ରହିଛି । ଏହା ଛଡ଼ା ନିମ୍ନ ମଜୁରୀ ଓ ଚାକିରିର ସୁରକ୍ଷା ଅଭାବରୁ ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି ଶ୍ରମିକ ଶ୍ରେଣୀ । ଅଣସଂଗଠିତ କ୍ଷେତ୍ରରେ ପରିସ୍ଥିତି ଆହୁରି ଉକ୍ରଟ ହେଉଛି ।
ବିକାଶ ସହ ନିଯୁକ୍ତି କ୍ଷେତ୍ରକୁ ସମୃଦ୍ଧ କରି ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଅକ୍ସଫାମ ଇଣ୍ଡିଆ । କର୍ମକ୍ଷେତ୍ରରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ଅକ୍ସଫାମର ଏହି ରିପୋର୍ଟ ।