କନକ ବ୍ୟୁରୋ : ଦିଲ୍ଲୀ କର୍ତବ୍ୟପଥରେ ନାରୀଶକ୍ତିର ସବୁଠାରୁ ବଡ ନିଦର୍ଶନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସେ ଅଭିବାଦନ ଗ୍ରହଣ କରିଛନ୍ତି । ଟିଭି ପରଦାରେ ଏହି ଦୃଶ୍ୟକୁ ଦେଖି ପ୍ରତିଟି ଓଡିଆଙ୍କ ଛାତି କୁଣ୍ଢୋମୋଟ ହୋଇଯାଇଛି । ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀର କର୍ତବ୍ୟପଥରେ ଦେଶର ମହିଳାମାନଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ ପ୍ରଦର୍ଶିତ ହୋଇଛି ।

ପ୍ରତିଥର ସେନା ବ୍ୟାଣ୍ଡରୁ ପରେଡ ଆରମ୍ଭ ହୋଇଥାଏ । ଏଥର କିନ୍ତୁ ପାରମ୍ପରିକ ଢଙ୍ଗରେ ଶଙ୍ଖ ଓ ନାଗଡା ବଜାଇ ପରେଡ ଆରମ୍ଭ କରିଥିଲେ ୧୦୦ ଜଣ ମହିଳା କଳାକାର । ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ମହିଳାମାନେ ଦିଲ୍ଲୀ କର୍ତବ୍ୟରଥରେ ଆଗକୁ ବଢିଲାବେଳେ, ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପାରଦର୍ଶିତାକୁ ପ୍ରଦର୍ଶନ କରୁଥିଲେ  ।

ରାଷ୍ଟ୍ରୀୟ ପର୍ବରେ ଦେଶର ପରାକ୍ରମୀ ଝିଅମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟ ଓ ସାହସର ପ୍ରଦର୍ଶନ କରିଛନ୍ତି । ସିଆରପିଏଫ, ବିଏସଏଫ ଓ ଏସଏସବିର ମହିଳା ଟ୍ରୁପ୍ର ଡେୟାରଡେଭିଲ ସୋ’ ବେଶ ଚିତାକର୍ଷକ ହୋଇଛି । ବାଇକରେ ବିଭିନ୍ନ ପ୍ରକାର ଷ୍ଟଂଟ କରି ଦର୍ଶକଙ୍କୁ ଆଚମ୍ବିତ କରିଦେଇଛନ୍ତି ମହିଳା ସୈନିକ । ଅତି କଠିନ କୌଶଳକୁ ଚମକ୍ରାର ଢଙ୍ଗରେ ପ୍ରଦର୍ଶନ କଲାବେଳେ ଦେଖଣାହାରୀଙ୍କ ଆଖିର ପଲକ ପଡୁନଥିଲା ।

ପ୍ରଥମଥର ପାଇଁ ପ୍ରଦର୍ଶିତ ହୋଇଛି ତିନି ସେନାର ମହିଳା ସୈନିକଙ୍କୁ ନେଇ ମିଳିତ ପରେଡ୍ । ସ୍ଥଳସେନା, ବାୟୁସେନା ଓ ନୌସେନାର କେବଳ ମହିଳା ସିପାହୀଙ୍କୁ ନେଇ ଏଭଳି ମିଳିତ ପରେଡ ପ୍ରଥମଥର ପାଇଁ ଦିଲ୍ଲୀ କର୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି । ଏହାର ନେତୃତ୍ୱ ନେଇଥିଲେ କ୍ୟାପଟେନ ସଂଧ୍ୟା । ଥିମ ରହିଥିଲା ସେବା ତଥା ସହାୟତା । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ- ସିଏପିଏଫର କେବଳ ମହିଳାଙ୍କୁ ନେଇ ଏକ ଟ୍ରୁପ ମଧ୍ୟ ପରେଡରେ ଭାଗ ନେଇଥିଲା । ଭାରତୀୟ ବାୟୁସେନା ଦ୍ୱାରା ଫ୍ଲାଏପାଷ୍ଟ ସମୟରେ ୧୫ ଜଣ ମହିଳା ପାଇଲଟ ସାମିଲ ହୋଇଥିଲେ ।

ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇଛି ତିନି ସେନାର ସାମର୍ଥ୍ୟ । ଦୂରରୁ ଯୁଦ୍ଧାସ୍ତ୍ରକୁ ଚିହ୍ନଟ କରିପାରୁଥିବା ରାଡାର ‘ସ୍ୱାତୀ’ ଏବଂ ‘ପିନାକ’ ରକେଟ ସିଷ୍ଟମ ପ୍ରଦର୍ଶନ ବେଳେ ଏହାର ନେତୃତ୍ୱ ନେଇଥିଲେ ଲେଫ୍ଟନାଂଟ ଦୀପ୍ତି ରାଣା ଓ ପ୍ରିୟଙ୍କା ସେଭଦା । ଗତବର୍ଷ ୧୦ ଜଣ ମହିଳା ଅଫିସରଙ୍କୁ ଆର୍ଟିଲାରି ରେଜିମେଂଟରେ ସାମିଲ କରାଯାଇଥିଲା    । ଏମାନଙ୍କ ଭିତରେ ଅଛନ୍ତି ଦୀପ୍ତି ଓ ପ୍ରିୟଙ୍କା ।

ଦେଶ ବିଦେଶରୁ ଆସିଥିବା ୧୦୦ ଜଣ ମହିଳା କଳାକାରଙ୍କ ପାରମ୍ପରିକ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା ।