କନକ ବ୍ୟୁରୋ : ଦୀର୍ଘ ୨୭ ବର୍ଷର ପ୍ରତୀକ୍ଷା ପରେ ‘ମହିଳା ସଂରକ୍ଷଣ ବିଲ୍’ ବାସ୍ତବ ରୂପ ନେବାକୁ ଯାଉଛି । ମହିଳାଙ୍କ ପ୍ରତିନିଧିତ୍ୱ ସୁନିଶ୍ଚିତ ହେବ ଓ ନାରୀ ଶକ୍ତି ସଂରକ୍ଷିତ ଢ଼ଙ୍ଗରେ ଗଣତାନ୍ତ୍ରିକ ପ୍ରକିୟାରେ ସାମିଲ ହେବେ    । ଏହାକୁ ନେଇ ଲୋକସଭାରେ ଆରମ୍ଭ ହୋଇଛି ବିତର୍କ । ହେଲେ ବିତର୍କ ଆରମ୍ଭରୁ ତେଜିଛି ଶ୍ରେୟ ରାଜନୀତି ।

Advertisment

ବିତର୍କରେ ସାମିଲ୍ ହୋଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି: ଏହା ମୋ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ । ସେହି ସମୟରେ ରାଜ୍ୟସଭାରେ ଏହା ଅଟକି ଯାଇଥିଲା । ପରେ ପିଭି ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଏହାକୁ ପାରିତ କରିଥିଲେ । ସୋନିଆଙ୍କ ବୟାନ ଉପରେ ଜବାବ ରଖିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ସେ କହିଛନ୍ତି- ଏହା ବିଜେପି ବିଲ୍ । କଂଗ୍ରେସ ମିଛ ଦାବି କରି ଫାଇଦା ଓ ପ୍ରଶଂସା ନେବାକୁ ଚାହୁଛି । କଂଗ୍ରେସ ଭୁଲ ବିଲ ଆଣିଥିଲା । ବିଜେପି ସରକାର ତାକୁ ସୁଧାରୁଛନ୍ତି । ମହିଳାଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଯଥେଷ୍ଟ ସମ୍ମାନ ରହିଛି ।

ଶ୍ରେୟ ରାଜନୀତି କେବଳ କଂଗ୍ରେସ ଓ ବିଜେପି ଭିତରେ ସୀମିତ ନାହିଁ । ଟିଏମସି ସାଂସଦ ମହୁଆ ମୌତ୍ରା କହିଛନ୍ତି: ମମତା ବାନାର୍ଜୀ ହେଉଛନ୍ତି ‘ମଦର ଅଫ୍ ବିଲ୍’ ବା ଏହି ବିଲ୍ର ଜନନୀ । ଲୋକସଭାରେ ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଛନ୍ତି ମମତା । ବିଏସପି ସାଂସଦ ସଂଗୀତା ଆଜାଦ୍ କହିଛନ୍ତି: ମହିଳା ସଂରକ୍ଷଣକୁ ୩୩% ନୁହେଁ ୫୦% କରାଯାଉ । ସେହିପରି ବିଧାନପରିଷଦ ଏବଂ ରାଜ୍ୟସଭାରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରାଯାଉ । ବିତର୍କରେ ଭାଗ ନେଇ ସମାଜବାଦୀ ସାଂସଦ ଡିମ୍ପଲ ଯାଦବ କହିଛନ୍ତି: ମହିଳା ସଂରକ୍ଷଣ ବିଲରେ ଏସିସି, ଏସଟି, ଓବିସି ଓ ଅଳ୍ପସଂଖ୍ୟ ମହିଳାଙ୍କ ଦାବିକୁ ଦୃଷ୍ଟି ଦିଆଯାଉ ।

ମହିଳା ସଂରକ୍ଷଣ ବିଲ୍କୁ ନେଇ ଶ୍ରେୟ ରାଜନୀତି କେବଳ ଜାତୀୟ ସ୍ତରରେ ସୀମୀତ ନାହିଁ । ପିସିସି ସଭାପତି ମଧ୍ୟ ସମାନ ଢ଼ଙ୍ଗରେ ବିଲ୍ ପାଇଁ କଂଗ୍ରେସକୁ ଶ୍ରେୟ ଦେଇଛନ୍ତି । ଅନ୍ୟପକ୍ଷରେ ବିଜେଡି ମଧ୍ୟ ଭାଗ ବସାଇଛି । ଆଉ ଉଭୟ କଂଗ୍ରେସ ଓ ବିଜେଡିକୁ ଜବାବ ଦେଇଛି ବିଜେପି ।ରାଜନୀତିର ଏହି ବୟାନବାଜି ଭିତରେ ଲୋକସଭାରେ ବିଲ୍କୁ ନେଇ ସରଗମର ଚର୍ଚ୍ଚା ଚାଲିଛି ।