ଦେଶରେ ବଢ଼ିବ ନାରୀ ନେତ୍ରୀଙ୍କ ସଂଖ୍ୟା । ନିର୍ବାଚିତ ହେବେ ଅଧିକ ବିଧାୟିକା ଓ ମହିଳା ସାଂସଦ, ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ଆଗତ କଲେ ମୋଦୀ ସରକାର

54

କନକ ବ୍ୟୁରୋ : ଏଣିକି ଦେଶରେ ନାରୀ ନେତ୍ରୀଙ୍କ ସଂଖ୍ୟା ବଢିବ । ଅଧିକ ସଂଖ୍ୟାରେ ବିଧାୟିକା ଓ ମହିଳା ସାଂସଦ ନିର୍ବାଚିତ ହୋଇ ଆସିବେ । କାରଣ ଏହି ଦିଗରେ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର    । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଲ ଆଗତ ହୋଇଛି । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଲୋକସଭାରେ ଆଗତ ହେବା ପରେ, ବିରୋଧୀ ମଧ୍ୟ ଏହାକୁ ଏକ ସ୍ୱରରେ ସମର୍ଥନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କୁହାଯାଉଛି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବିଲ ଆଇନରେ ପରିଣତ ହେଲେ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୮୨ରୁ ୧୮୧କୁ ବୃଦ୍ଧି ପାଇବ ।
ନାରୀ ଶକ୍ତି ବନ୍ଦନ ଅଧିନିୟମ
– ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷିତ ରହିବ
– ରାଜ୍ୟସଭା କିମ୍ବା ରାଜ୍ୟ ବିଧାନପରିଷଦ କ୍ଷେତ୍ରରେ ଲାଗୁହେବ ନାହିଁ ଏହି ସଂରକ୍ଷଣ
– ୩୩%ରୁ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ରହିବ ଏକ ତୃତୀୟାଂଶ
– ଅନ୍ୟାନ୍ୟ ପଛୁଆ ବର୍ଗ ମହିଳାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ନାହିଁ
– ସଂସଦର ଉଭୟ ଗୃହର ଅନୁମୋଦନ ପରେ ଆଇନରେ ପରିଣତ ହେବ ବିଲ

ସେପ୍ଟେମ୍ବର ୧୯କୁ ଐତିିହାସିକ ଦିନ କହିବା ସହ ମହିଳା ସଂରକ୍ଷଣ ବିଲକୁ ବିରୋଧୀ ଦଳଗୁଡିକ ସମର୍ଥନ ଜଣାଇବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମହିଳା ସଂରକ୍ଷଣ ସପକ୍ଷରେ ସମସ୍ତେ ଦାବି କରୁଥିବାରୁ ବିଲକୁ ବିରୋଧୀଙ୍କ ସମର୍ଥନ ମିଳିବାରେ ଅସୁବିଧା ହେବନାହିଁ । କିନ୍ତୁ ମହିଳାଙ୍କ ପାଇଁ କିଏ ଆଗ ସଂରକ୍ଷଣ ପ୍ରସ୍ତାବ ଆଣିଲା ତାକୁ ନେଇ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି ।

ସବୁଠାରୁ ବଡକଥା ହେଉଛି ମହିଳାମାନେ ଏଭଳି ସଂରକ୍ଷଣର ଲାଭ ପାଇବାକୁ ଆହୁରି ଅନେକ ଦିନ ବାକି ଅଛି । କାରଣ ପରବର୍ତୀ ଜନଗଣନା ପରେ ହିଁ ନୂଆ ଆଇନ ଲାଗୁ ହେବ । କିନ୍ତୁ ୨୦୨୪ ନିର୍ବାଚନରେ ଏହାକୁ ପ୍ରସଙ୍ଗ କରି ମହିଳା ଭୋଟ୍ ହାତେଇବାକୁ ପ୍ରୟାସ କରିବ ବିଜେପି । ସେହିପରି ଏହାର ଦୂରଗାମୀ ରାଜନୈତିକ ପ୍ରଭାବ ରହିବା ଅନୁମାନ କରାଯାଉଛି ।