ଓଡିଶାରୁ ଗଲା, ଦିଲ୍ଲୀରେ ଅଟକି ଗଲା! ପୁଣି ଅନ୍ଧାରକୁ ଚାଲିଗଲା ମହିଳା ସଂରକ୍ଷଣ ବିଲର ଭାଗ୍ୟ ?

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ପାରିତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ

131

କନକ ବ୍ୟୁରୋ: ଅଧାରେ ଲଟକିଲା ମହିଳା ବିଲ୍ । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ ନେଇ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମହିଳା ବିଲ ପାଇଁ ସମର୍ଥନ ହାସଲ କରିବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଖାଲି ଏତିକି ନୁହେଁ, ଉଭୟ ଆଂଚଳିକ ଓ ଜାତୀୟ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଭେଟି ସମର୍ଥନ ଲୋଡିଥିଲେ ବିଜେଡି ନେତା । ହେଲେ ସଂସଦ ଅଧିବେଶନ ସରିବା ସହ ଏହି ବିଲ୍ ପାରିତ ହେବାର ଆଶା ମଉଳିଯାଇଛି ।

ମହିଳାଙ୍କୁ ସଂରକ୍ଷଣ ପ୍ରସଙ୍ଗକୁ ଜାତୀୟ ଦରବାରକୁ ନେଇଥିଲା ବିଜେଡି।  ମହିଳା ବିଲ୍ ସମର୍ଥନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଥିଲେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ । ଏଥିରେ ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ ଜଣାଇ ନବୀନଙ୍କୁ ପ୍ରସଂଶା କରିଥିଲେ । ଏପରିକି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଏହି ବିଲକୁ ପାରିତ ଏବଂ ଲୋକସଭାରେ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାହୁଲ । ଏହାପରେ ଜେଡ଼ିଏସ ମୁଖ୍ୟ ଏଚ.ଡ଼ି ଦେବଗୌଡ଼ା, ଏନସିପି ମୁଖ୍ୟ ଶରଦ ପାୱାର, ଟିଆରଏସ, ଏବଂ ସିପିଆଇଏମ, ସମାଜବାଦୀ ପାର୍ଟି ଭଳି ଦଳ ନବୀନଙ୍କ ମହିଳା ବିଲ ସମର୍ଥନରେ ବାହାରିଥିଲେ । କିନ୍ତୁ ଏହା ସଂସଦରେ ପାରିତ ହେବାର ବାଟ ଫିଟି ପାରିଲା ନାହିଁ ।

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ବିଧାନସଭାରେ ପ୍ରସ୍ତାବ ପାରିତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ। ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଯାଇଥିଲେ ବି ଲୋକସଭାରେ ଏହି ବିଲ୍ ଅଧାରେ ଲଟକିଛି । ଲୋକସଭାରେ ପାରିତ ହେଲେ ଏହା ଆଇନରେ ପରିଣତ ହେବ ଏବଂ ସାରା ଦେଶରେ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ରହିବ । କିନ୍ତୁ ଏହାର ସୁଫଳ ଏପର୍ଯ୍ୟନ୍ତ ମିଳିପାରିଲା ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସଂସଦ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ମହିଳାମାନଙ୍କ ପାଇଁ ସହମତି ଭିତ୍ତିରେ ଆସିଲେ ଏହା ଦେଶର ମହିଳାମାନଙ୍କ ପାଇଁ ଏକ ଅନନ୍ୟ ପଦକ୍ଷେପ ହେବ, ହେଲେ ୟୁପିଏ ଅମଳରୁ ଆରମ୍ଭ କରି ଏନଡିଏ ଅମଳ ପର୍ଯ୍ୟନ୍ତ ମହିଳା ବିଲର ଭାଗ୍ୟ କିନ୍ତୁ ଆଗକୁ ବଢିପାରିଲା ନାହିଁ ।

ଅନ୍ୟପଟେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ ଭାବେ ବାର୍ତ୍ତା ଦେବାକୁ ମହିଳା ସଂରକ୍ଷଣ ବିଲ କାର୍ଡ ଖେଳିଥିବା ନେଇ ଚର୍ଚ୍ଚା ହୋଇଥିଲା । କାରଣ ୯୦ ଦଶକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦେଶରେ ପ୍ରଥମଥର ପାଇଁ ମହିଳାମାନଙ୍କ ବିକାଶ ଲାଗି ପଞ୍ଚାୟତ ଓ ପୌରପାଳିକାଗୁଡିକରେ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିଥିଲେ । ଏହାବ୍ୟତୀତ ଉଭୟ ପୁରୁଷ ଓ ମହିଳାଙ୍କ ମଜୁରୀ ସମାନ କରିବା ସହିତ ଲିଙ୍ଗ ସମାନତା ଓ ଶ୍ରମର ସମ୍ମାନକୁ ସେ ବଜାୟ ରଖିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ ।

ସେପଟେ ନବୀନ ସରକାର ମଧ୍ୟ ପଞ୍ଚାୟତ ଓ ପୌର ପାଳିକା କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ନୂଆ ଶତାବ୍ଦୀରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର ଗଠନ ହେବା ପରେ ମହିଳା ସଶକ୍ତିକରଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଏବେ ନବୀନ ଖେଳିଥିବା ମହିଳା କାର୍ଡକୁ ଲୋକସଭାରେ ପାରିତ ହେବାର ସ୍ୱପ୍ନ ମଉଳି ଯାଇଛି । କିନ୍ତୁ ସମସ୍ତଙ୍କ ନଜର ଆସି ଅଟକି ଯାଇଛି, ବିଜେଡି ଆଗାମୀ ନିର୍ବାଚନରେ ୩୩% ମହିଳାଙ୍କୁ ପ୍ରାର୍ଥି ହେବାର ସୁଯୋଗ ଦେଉଛି ନା ନାହିଁ ।