ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଧାରଣା: କହିଲେ ଚାକିରି ଫେରାଅ, ନଚେତ୍ ମାରିଦିଅ

135

କନକ ବ୍ୟୁରୋ: ସରକାରୀ ଚାକିରି! ଏଇ ଚାକିରି ପାଇଁ ସଂଘର୍ଷ କରିବାକୁ ପଡେ ଲାଂଚ କାରବାର ବି ହୁଏ । ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଜଣେ ଆଦିବାସୀ ଯୁବତୀ ଏଭଳି ଅଭିଯୋଗ କରିଛନ୍ତି । ଚାକିରି ଦିଅ ନଚେତ୍ ମାରି ଦିଅ ବୋଲି ଦାବି କରି ଜିଲ୍ଲାପାଳଙ୍କ କୋଠରୀ ଆଗରେ ଧାରଣାରେ ବସିଛନ୍ତି ଜଣେ ଅନାଥ ଯୁବତୀ ।

ସୁନ୍ଦରଗଡ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରେ ହାତରେ ଦାବି ପତ୍ର ଧରି ଧାରଣାରେ ବସି ରହିଛନ୍ତି ଆଦିବାସୀ ଯୁବତୀ । ଆଉ କାନ୍ଦି କାନ୍ଦି ଧାରଣା ପଛର କାରଣ କହୁଛନ୍ତି ପିରୋ କିସାନ । ବାପା-ମାଆଙ୍କୁ ହରାଇ ଅନାଥ ହୋଇଯାଇଥିବା ପିରୋ ୧୦ ବର୍ଷ ଧରି ସୁନ୍ଦରଗଡ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରି କରିଥିଲେ । ସ୍କୁଲ ବ୍ଲକଗ୍ରାଂଟ ପାଇଲେ ତାଙ୍କ ଚାକିରିକୁ ସରକାରୀ ଅନୁମୋଦନ ମିଳିବ ବୋଲି ଆଶା ରଖିଥିଲେ । ଏଥିପାଇଁ ସ୍କୁଲ କର୍ତୃପକ୍ଷ ତାଙ୍କ ଠାରୁ ୧୫ ହଜାର ଟଙ୍କା ଲାଂଚ ମଧ୍ୟ ନେଇଛନ୍ତି । ଟଙ୍କା ନେଲେ ହେଲେ ତାଙ୍କ ବଦଳରେ ସ୍କୁଲ କର୍ମଚାରୀଙ୍କ ତାଲିକାରୁ ତାଙ୍କ ନାଁ କାଟି ଦେଲେ, ତେଣୁ ଚାକିରି ଚାଲିଯାଇଛି । ଆଉ ସେଇ ଦିନରୁ ଆରମ୍ଭ ହୋଇଛି ପିରୋଙ୍କ ସଂଘର୍ଷ ।

ଚାକିରି ଚାଲିଯିବା ପରେ ୪ ବର୍ଷ ହେଲା ସ୍କୁଲରୁ ଡିଇଓ ଅଫିସ ଆଉ ଡିଇଓ ଅଫିସରୁ ଜିଲ୍ଲାପାଳଙ୍କ ଅଫିସ ଦଉଡି ଦଉଡି ନୟାନ୍ତ ହେବା ପରେ ଏବେ ଧାରଣା ଦେଇଛନ୍ତି ଏଇ ଅନାଥ ଯୁବତୀ । ଗାଁକୁ କାମ ଆଉ ମାଆଙ୍କୁ ସମ୍ମାନ ଏବଂ ଆଦିବାସୀଙ୍କ ବିକାଶର କଥା କହୁଥିବା ସରକାରଙ୍କ ପ୍ରଶାସନିକ ଅଧିକାରୀ ଏହି ଅନାଥ ଆଦିବାସୀ ଝିଅ ପିରୋଙ୍କୁ ପ୍ରତାରିତ କରିଥିବା ସ୍ୱେଚ୍ଛାସେବୀ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଜିଲ୍ଲପାଳ କି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିକ୍ରିୟା ଦେଉନାହାନ୍ତି । ଆମ ପ୍ରତିନିଧି ସେମାନଙ୍କ ମତ ଲୋଡି ଥିବା ବେଳେ ସେମାନେ କ୍ୟାମେରା ସମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ।