କନକ ବ୍ୟୁରୋ : ଚାଲିଛି ହୋମଯଜ୍ଞ.. .. ହୋମ ନିଆଁରେ ଆହୁତି ଦେଉଛନ୍ତି କର୍ତ୍ତା କର୍ତ୍ତୀ.. .. ପୁରା ପରିବେଶ ହୋଇଛି ଭକ୍ତିମୟ.. .. ସମସ୍ତେ କୃଷ୍ଣ ପ୍ରେମରେ ନିମଗ୍ନ.. .. । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଯଜ୍ଞରେ ମନ୍ତ୍ରୋଚାରଣ କରୁଛନ୍ତି ଜଣେ ମହିଳା ପଣ୍ଡିତ । ସେ ବ୍ରାହ୍ମଣ ନୁହଁନ୍ତି, କିନ୍ତୁ ଅନର୍ଗଳ ଗାଇ ଚାଲିଛନ୍ତି ସଂସ୍କୃତ ଶ୍ଲୋକ । ନିର୍ଭୁଲ ଭାବେ ଅଠର ଅଧ୍ୟାୟର ଗୀତାକୁ ଉଚ୍ଚାରଣ କରୁଛନ୍ତି କୃଷ୍ଣଙ୍କ ପ୍ରେମରେ ନିଜକୁ ସମର୍ପି ଦେଇଥିବା ଯୁବତୀ ମନସ୍ୱିନୀ ସ୍ୱାଇଁ ।
ହିନ୍ଦୁ ସମାଜରେ ବିବାହ, ବ୍ରତଘରା ହେଉ ବା ପୂଜାପାଠ । ସବୁ ବେଳେ ଖୋଜା ପଡନ୍ତି ପଣ୍ଡିତ ବା ପୁରୋହିତ । ପୁରୋହିତମାନେ ସାଧାରଣତଃ ପୁରୁଷମାନେ ହୋଇଥାନ୍ତି । ହେଲେ ଏବେ ସମୟ ବଦଳିଛି, ଗୀତାଯଜ୍ଞ ପାଇଁ ଯୁବତୀ ଓ ମହିଳାଙ୍କୁ ମଧ୍ୟ ଡକାଯାଉଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଗୁଣ୍ଡଳବା ଗାଁର ମାୟାଧର ମଲ୍ଲିକଙ୍କ ଘରେ ଗୀତାଯଜ୍ଞ କରାଯାଇଛି । ଏଠାରେ ମନସ୍ୱିନୀ, ଯଜ୍ଞକୁଞ୍ଜ ସଜାଡିବା ଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା ଓ ଗୀତାପାଠ ସବୁ କିଛି କରିଛନ୍ତି । ମନସ୍ୱିନୀ ଭଗବଦ୍ ଗୀତାର ୧୮ଟି ଅଧ୍ୟାୟର ୭ଶହ ଶ୍ଳୋକ ଉଚ୍ଚାରଣ କରୁଥିବା ।
ମନସ୍ୱନୀଙ୍କ ଘର ଚାରିଛକ ନିକଟ ନୂଆଗାଁରେ । ନିଜକୁ କୃଷ୍ଣପ୍ରେମରେ ହଜେଇ ଦେଇଛନ୍ତି । କୃଷ୍ଣଙ୍କୁ ଜୀବନର ସବୁ କିଛି ଭାବି ସାରା ଜୀବନ ଅବିବାହିତ ରହିଛନ୍ତି । ଏବଂ ନିଜ ଅଂଚଳର ଯୁବପିଢୀଙ୍କୁ ଆଧ୍ୟାତ୍ମିକ ମାର୍ଗ ଆପଣେଇବା ପାଇଁ ପରାମର୍ଶ ଦେଉଛନ୍ତି ।