କନକ ବ୍ୟୁରୋ: ଆଇପିଏଲ୍ ଢାଞ୍ଚାରେ ଆରମ୍ଭ ହେବାକୁ ଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନ୍ ପାଇଁ ଆଜି ଚାଲିଛି ଖେଳାଳି ନିଲାମ ପ୍ରକ୍ରିୟା । ମୁମ୍ବାଇର ତାରକା ହୋଟେଲରେ ଏହି ନିଲାମ ପ୍ରକ୍ରିୟା ଚାଲିଛି । ତେବେ ବର୍ତମାନ ସୁଦ୍ଧା ହୋଇଥିବା ନିଲାମ ମୁତାବକ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଦୁଇଟି ଭିନ୍ନ ଭିନ୍ନ ଦଳରେ ସାମିଲ ହୋଇଛନ୍ତି । ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବାବେଳେ, ଓପନର ସ୍ମୃତି ମାନ୍ଧାନା ବାଙ୍ଗାଲୋର ଦଳ ପକ୍ଷରୁ ମହିଳା ପ୍ରିମିୟର ଲିଗ୍ ଖେଳିବେ ।

Advertisment

ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୮୦ କୋଟି ଟଙ୍କାରେ କିଣିଛି । ସେହିପରି ସ୍ମୃତି ମାନ୍ଧାନାଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୩.୪୦ କୋଟି ଟଙ୍କାରେ କିଣିଛି । ଦୁଇ ଜଣ ଯାକ ଖେଳାଳିଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଥିଲା । ଦୁଇ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍ ମାନେ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଶେଷରେ ଏହି ଦୁଇ ଟିମ୍ ବାଜି ମାରିନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳା ପ୍ରିମିୟର ଲିଗ୍ ପାଇଁ ମୋଟ ୪୪୯ ଜଣ ଖେଳାଳିଙ୍କର ନିଲାମ ହେବ । ଯେଉଁଥିରୁ ୨୦୦ ଜଣ ଖେଳାଳି ଭାରତୀୟ ଅଟନ୍ତି । ତେବେ ଭାରତ ସହିତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦେଶର ବିଦେଶୀ ଖେଳାଳି ମଧ୍ୟ ଏହି ନିଲାମ ପ୍ରକ୍ରିୟାରେ ସାମିଲ ଅଛନ୍ତି । ୫ଟି ଟିମରେ ମୋଟ ୯୦ ଜଣ ଖେଳାଳି ସାମିଲ ହେବେ । ତେବେ ସମସ୍ତ ଟିମ୍ ୧୨ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରି ପ୍ଲେୟାରମାନଙ୍କୁ କିଣିପାରିବେ । ଏଥର ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ସହିତ ଅହମ୍ମଦାବାଦ, ଲକ୍ଷ୍ନୌ, ଦିଲ୍ଲୀ ଓ ବାଙ୍ଗାଲୋର ଦଳ ସାମିଲ ଅଛନ୍ତି ।