ମହିଳାଙ୍କ ମହାନତା! ଜରାଆଶ୍ରମକୁ ଦୁଇକୋଟି ଟଙ୍କାର ଭୂ-ସମ୍ପତ୍ତି ଦାନ କରି ଇତିହାସ ରଚିଲେ ମହିଳା ।

69

ଆଜିର ଦିନରେ ନିଜ ସ୍ୱାର୍ଥ ଛାଡି ଅନ୍ୟକୁ ସାହାର୍ଯ୍ୟର ହାତ କିଏ ଅବା ବଢାଉଛି । କିନ୍ତୁ କିଛି ଲୋକଙ୍କ ମାନବିକତା ଯୋଗୁଁ ଏ ସଂସାର ତିଷ୍ଠି ରହିଛି । ଏଭଳି ଜଣେ ମହୀୟସୀ ମହିଳାଙ୍କ କାର୍ଯ୍ୟକଳାପ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାଙ୍କ କଥା ଶୁଣି ଆପଣ ମଧ୍ୟ ବାଃ ବାଃ କରି ଉଠିବେ । ନିଜ ସୁଖକୁ ଜଳାଞ୍ଜଳୀ ଦେଇ ଯେ ଜରାଶ୍ରମକୁ ୨ କୋଟି ଟଙ୍କାର ଭୂ-ସମ୍ପତ୍ତି ଦାନ ଦେଇ ଦେଲେ ।

ଏଭଳି ଉଦାହରଣ ସୃଷ୍ଟି କରିଥିବା ମହୀୟସୀ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଚାଟରାପାଟଣା ଗାଁର ରାଧାରାଣୀ ସାହୁ । ଅସହାୟ ବୃଦ୍ଧବୃଦ୍ଧାଙ୍କ ସହାୟତା ସକାଶେ ସେ ୨ କୋଟି ଟଙ୍କାର ଭୂ-ସମ୍ପତ୍ତିକୁ ଜରାଶ୍ରମକୁ ଦାନ ଦେଇଛନ୍ତି । ପରିବାର ଲୋକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜରାଶ୍ରମକୁ ଆସିଥିବା ଅଭାଗ-ଅଭାଗିନୀଙ୍କ ପାଇଁ ଅନ୍ଧର ଲଉଡି ସାଜିଛନ୍ତି ରାଧାରାଣୀ । ଯାହାଙ୍କ ଏଭଳି ପଦକ୍ଷେପକୁ ସବୁରି ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି ।

ସୁଚନାନୁସାର, ଚାଟରାପାଟଣା ଗ୍ରାମର ସ୍ୱର୍ଗତ ଭିକାରୀ ସାହୁଙ୍କ ପତ୍ନୀ ହେଉଛନ୍ତି ରାଧାରାଣୀ ସାହୁ । ସେ ସହରର ସବୁଠାରୁ ମୂଲ୍ୟବାନ ଅଞ୍ଚଳର ବଡହାଟ ମୌଜାର ଜମିକୁ ଦାନ ଦେଇଛନ୍ତି । ତାଙ୍କ ନାମରେ ଥିବା ୧ ଏଳର ୫୫ ଡେସିମଲ୍ ଜମିକୁ ସେ ଶନିବାର ସଂପୃକ୍ତ ବିଭାଗକୁ ଦଲିଲ ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ରେଘୁ ଜୀ ଦଲିଲକୁ ଗ୍ରହଣ କରିବା ସହ ରାଧାରାଣୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ସହରର ସବୁଠାରୁ ମୂଲ୍ୟବାନ ଏହି ଜମିର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଜିଲ୍ଲା ରେଜିଷ୍ଟ୍ରାର ଶିବପ୍ରସାଦ ମଲିକ ସୁଚନା ଦେଇଛନ୍ତି ।