ସ୍ୱାଧୀନତା ଦିବସ ପାଇଁ ଜାତୀୟ ପତାକା ତିଆରି କରୁଛନ୍ତି ମହିଳା। ୨୦ ହଜାର ତ୍ରିରଙ୍ଗା ତିଆରି କରିବାକୁ ଅଣ୍ଟା ଭିଡିଛନ୍ତି ମାଥିଲି ଅଞ୍ଚଳର ଏସ.ଏଚ.ଜି ମହିଳା ।
କନକ ବ୍ୟୁରୋ: ରୋଜଗାରର ବାଟ ଦେଖାଇଛି ସିଲେଇ ମେସିନ । ସ୍ୱାବଲମ୍ବୀ କରିବା ସହ ଆର୍ଥିକ ସ୍ଥିତିକୁ ବଦଳାଇ ଦେଇଛି ସିଲେଇ କାମ । ଏବେ ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକର କାବେରୀ ଉତ୍ପାଦନ ଗୋଷ୍ଠୀ । ମହିଳା ମାନେ ଏବେ ଘରେ ହାତ ବାନ୍ଧି ନବସି ପରିବାର ଚଳାଇବାରେ ନେଉଛନ୍ତି ମୁଖ୍ୟ ଭୂମିକା । ଗୋଟିଏ ପରେ ଗୋଟିଏ ଅର୍ଡର ହାତକୁ ନେଇ ବଜାରରେ ନିଜ ସ୍ଥିତିକୁ ଜାହିର କରୁଛନ୍ତି । ଆଗକୁ ସ୍ୱାଧୀନତା ଦିବସ ରହିଥିବାବେଳେ ଏବେ ଜିଲ୍ଲା ପ୍ରଶାସନର ୨୦ ହଜାର ଜାତୀୟ ପତାକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ମହିଳା ଗୋଷ୍ଠୀ । ଦୈନିକ ୨୦୦ ରୁ ୩୦୦ ପିସ ଅନୁସାରେ ପତାକା ପ୍ରସ୍ତୁତ କରୁଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
କାବେରୀ ଉତ୍ପାଦନ ଗୋଷ୍ଠୀ । ଏହି ଗୋଷ୍ଠୀ ପ୍ରଥମେ ପ୍ରଥମେ ୧୦ ଜଣ ମହିଳାରୁ ଆରମ୍ଭ ହୋଇଥିଲା । ଏବେ କାମକୁ ନେଇ ଏଥିରେ ଯୋଡି ହୋଇଛନ୍ତି ମାଥିଲି ଅଞ୍ଚଳର ୪୦ ଜଣ ମହିଳା । ପ୍ରତିଦିନ ଗୋଟିଏ ଜାଗାରେ ଏକାଠି ହୋଇ ମହିଳାମାନେ କାମ କରୁଛନ୍ତି । ବଜାରର ଚାହିଦା ଅନୁସାରେ ସ୍ଥାନୀୟ ଗୋଷ୍ଠୀଙ୍କୁ କପଡା ସମ୍ପର୍କୀତ କାମ ମିଳୁଛି । ଏପଟେ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ମହିଳାମାନଙ୍କୁ ସ୍ୱାଭଲମ୍ବୀ କରିବା ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ସ୍ୱାଧୀନତା ଦିବସ ପାଇଁ ଜିଲ୍ଲାରୁ ୨୦ ହଜାର ଜାତୀୟ ପତାକା ପ୍ରସ୍ତୁତ କରିବାକୁ କାମ ଦିଆଯାଇଛି । ପ୍ରଶାସନ ତରଫରୁ ମହିଳାଙ୍କୁ ଆର୍ଥିକ ସ୍ଥିତିରେ ପରିବର୍ତନ କରିବା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା କହିଛନ୍ତି ମାଥିଲି ଓଏଲଏମର ଅଧିକାରୀ ।