କନକ ବ୍ୟୁରୋ: ଦିନେ ପେଟ ପାଟଣା ପାଇଁ ପର ଘରେ ମୂଳ ଲାଗିବାକୁ ପଡୁଥିଲା ମହିଳାଙ୍କୁ । ବର୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି । ଯିଏ ବଂଚିବା ପାଇଁ କାମ ଖୋଜୁଥିଲା ଆଜି ସେ ମହିଳା ମାନେ ବିଦ୍ୟୁତ ବିଲ ଆଦାୟ କରି ସ୍ୱାବଲମ୍ବୀ ହେବା ହୋଇ ଅଂଚଳରେ ଉଦାହରଣ ସୃଷ୍ଟି କରିଛନ୍ତି ।

Advertisment

ଗ୍ରାମାଂଚଳରେ ବିଦ୍ୟୁତ୍ ବିଲ ଆଦାୟ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା । ଦିନେ ଚାରି କାନ୍ଥ ଭିତରେ ଆବଦ୍ଧ ଥିବା ମହିଳା ଏବେ କିଛି ରୋଜଗାର କରି ପରିବାର ପ୍ରତିପୋଷଣରେ ସହଯୋଗ କରିପାରୁଛନ୍ତି । ରାୟଗଡା ଗୁଣୁପୁର ବ୍ଲକର ଚାଲକମ୍ବା ଗାଁର ୧୦ ଜଣ ମହିଳା ପ୍ରଥମେ ରୋଜଗାର କରିବା ପାଇଁ ଛତୁ ଓ ଧାନ ଚାଷ କରୁଥିଲେ । ଏବେ ସେମାନେ ଚାଲକମ୍ବା ପଂଚାୟତ ଅଧିନରେ ଥିବା ବିଭିନ୍ନ ଗାଁକୁ ଯାଇ ବିଦ୍ୟୁତ୍ ବିଲ ସଂଗ୍ରହ କରୁଛନ୍ତି । ଆଦାୟ ଟଙ୍କାକୁ ଗୁଣୁପୁର ସ୍ଥିତ ବିଦ୍ୟୁତ୍ ବିଭାଗ ନିକଟରେ ପଇଠ କରୁଛନ୍ତି ।

ବିଲ୍ ପିଛା ୧୦ ଟଙ୍କା ମିଳୁଥିବା ବେଳେ ମାସିକ ପାଂଚ ହଜାରରୁ ଦଶ ହଜାର ଟଙ୍କା ଆଦାୟ ହେଉଥିବାର କହିଛନ୍ତି ଗୃପର ମହିଳାମାନେ । ପୂର୍ବରୁ ଗ୍ରାମାଂଚଳର ଲୋକଙ୍କୁ ବିଦ୍ୟୁତ ବିଲ ପୈଠ କରିବା ପାଇଁ ଖର୍ଚ୍ଚାନ୍ତ ହୋଇ ଗୁଣୁପୁର ଯିବାକୁ ପଡୁଥିଲା । କିନ୍ତୁ ବର୍ତମାନ ହାତ ପାହାନ୍ତାରେ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସେବା ଯୋଗାଇ ଦେଉଥିବାରୁ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି ।