ପାରମ୍ପରିକ ପିଠା ଦେଲା ପେଟପାଟଣା । ଆରିସା ପିଠା ବିକ୍ରି କରି ସ୍ୱାବଲମ୍ବୀ ହୋଇଛନ୍ତି ଜୟପୁରର ୭ଜଣ ମହିଳା

283

କନକ ବ୍ୟୁରୋ : କାହା ଘରେ ବା ପିଠା ତିଆରି ନ କରାଯାଏ । ବିଶେଷ କରି ଓଡିଆ ଘରେ ସାଧାରଣ ଦିନ ହେଉ କି କୌଣସି ପୂଜାପର୍ବ, ପିଠାପଣା ହେବା ସୁନିଶ୍ଚିତ । ଆଉ ସବୁଠୁ ସୁଆଦିଆ ହେଉଛି ଆରିସା । କିନ୍ତୁ ଏହି ପିଠାକୁ ନେଇ ବ୍ୟବସାୟ ବି କରିହେବ । ଏକଥା ହୁଏତ ଆପଣ କେବେ ଭାବି ନଥିବେ । ସହରର ଚାକଚକ୍ୟରେ ଏହି ପାରମ୍ପରିକ ପିଠା ହଜିଯାଉଥିବା ବେଳେ ଏହାକୁ ବ୍ୟବସାୟର ମାଧ୍ୟମ କରିଛନ୍ତି ଜୟପୁରର କିଛି ମହିଳା ।

କିଏ ଅଟା ଦଳୁଛି ତ କିଏ ପିଠା ଛାଣୁଛି । କିଏ ପାମ୍ପଡ଼ ତିଆରି କରୁଛି ତ କିଏ ବଡ଼ି । ସବୁ କିଛି ନିଜ ଘରେ ନିଜ ହାତରେ ହେଉଛି ପ୍ରସ୍ତୁତ । ଘରେ ମାଁ ପାଖରୁ ସିଖିଥିବା ନିଜ ପସନ୍ଦର ପିଠା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି କିଛି ମହିଳା । ଘର କାମ ସରିବା ପରେ କଲୋନିର ୭ ଜଣ ମହିଳା ଏକାଠି ହୋଇ ଆଧୁନିକ ବଜାରକୁ ସୁହାଇଲା ଭଳି ପିଠା ତିଆରି କରୁଛନ୍ତି । ଆଉ ତାକୁ ନେଇ ବଜାରରେ ବିକ୍ରୀ କରୁଛନ୍ତି । ମାତ୍ର ୧୦୦ ଟଙ୍କାରେ ଆରମ୍ବ କରିଥିବା ଏହି ପିଠା ବ୍ୟବସାୟ ଏବେ ୬୦ ହଜାର ଟଙ୍କାର ବ୍ୟବସାୟରେ ପହଚିଂ ସାରିଲାଣି । ଆଉ ଏଥିରୁ ଆଦାୟ ହେଉଥିବା ପଇସା ନିଜ ପିଲାଙ୍କ ପାଠ ପଡ଼ାଇବାରେ କରୁଛନ୍ତି ଖର୍ଚ୍ଚ । ଇଛା ଶକ୍ତି ଆଗରେ ହାର ମାନିଛି ଗରିବି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜି୍ଲ୍ଳା ସେମିଳିଗୁଡ଼ା ବ୍ଳକ କଲୋନିରେ ।

ଘରେ ସ୍ୱାମୀର ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ପିଲାଙ୍କୁ ପାଠ ପଡ଼ାଇବା ପାଇଁ ସହରରେ ପଇସା ନଥିଲା ଏହାକୁ ଦୁର କରିବା ପାଇଁ କଲୋନିର ୭ ଜଣ ମହିଳା ଏକତ୍ରୀତ ହୋଇ ଆରମ୍ବ କରିଥିଲେ ଏକ ପ୍ରୟାସ । ବଜାର ବୁଲିଲେ, ବ୍ୟବସାୟ ବାଛିଲେ, କଣ କରିହେବ ଉପାୟ ବାଛିଲେ, ବଜାରରେ ମିଠା ଦୋକାନରେ ସବୁ ମିଳୁଛି କିନ୍ତୁ ପୁରୁଣା କାଳିଆ ଆମ ପରମ୍ପରାର ପିଠା ନାହିଁ ।

ଏହି ପିଠାକୁ ନିଜ ରୋଜଗାରର ମାଧ୍ୟମ କଲେ । ୧୦୦ ଟଙ୍କା ଚାନ୍ଦା କରି ମ।।ଆ ପାଖରୁ ଶିଖି ଥିବା ପିଠା ସମସ୍ତ ସଦସ୍ୟ ଅଲଗା ଅଲଗା ଭାବେ ପ୍ରସ୍ତୁତ କରି ବଜାରକୁ ନେଲେ, ଦୋକାନିକୁ ଦେଲେ କିନ୍ତୁ ଚାହିଦା ନାହିଁ ବୋଲି ଦୋକାନି ମନା କଲା, । ତଥାପି ହାର ମାନିଲେ ନାହିଁ ମହିଳା । ପୁଣି ତାକୁ ନୁଆ ଢ଼୍ଙ୍ଗରେ ନୁଆ ରୁପ ଦେଇ ହାତ ତିଆରି ପିଠାକୁ ନେଇ ଦୋକାନ ଦୋକାନ ବୁଲିଲେ । ଧିରେ ଧିରେ ଆରମ୍ବ ହେଲା ବ୍ୟବସାୟ ଆଉ ଏହା ଯୁବ ପିଡ଼ିଙ୍କୁ ପସନ୍ଦ ଲାଗିଲା । ବ୍ୟବସାୟ ବଡ଼ିଲା ଆଉ ଦୋକାନ ଦୋକାନ ବୁଲିବାକୁ ପଡ଼ିଲା ନାହିଁ । ଲୋକେ ଘରୁ ଆସି ପିଠା କିଣି ନେଇ ଯାଉଛନ୍ତି । ଖାଲି ଦୋକାନୀ ନୁହନ୍ତି ବାହାଘର , ବ୍ରତ ଘରରେ ବି ଲୋକଙ୍କ ଭିଡ଼ ଜମୁଛି ଏବେ ।