ନଡ଼ିଆ କତାରୁ ଘରସଜ୍ଜା ସାମଗ୍ରୀ: ହାତୀ, ଘୋଡ଼ା, ଫୁଲଦାନୀ ଓ ଠାକୁରଙ୍କ ଫଟୋଚିତ୍ର ତିଆରି କରୁଛନ୍ତି ମହିଳା

Advertisment
ନଡ଼ିଆ କତାରୁ ଘରସଜ୍ଜା ସାମଗ୍ରୀ: ହାତୀ, ଘୋଡ଼ା, ଫୁଲଦାନୀ ଓ ଠାକୁରଙ୍କ ଫଟୋଚିତ୍ର ତିଆରି କରୁଛନ୍ତି ମହିଳା

କନକ ବ୍ୟୁରୋ: ସରକାର ମହିଳାମାନଙ୍କୁ ଏସଏଚଜି ମାଧ୍ୟମରେ ପ୍ରୋତ୍ସାହନ ଓ ତାଲିମ ଦେଇ କରିଛନ୍ତି ସମାଜରେ ସ୍ୱାବଲମ୍ବୀ । ବିଭିନ୍ନ ବିଭାଗରେ ସେମାନେ ତାଲିମ ପାଇ ଥିଲେହେଁ ସେଥିମଧ୍ୟରେ ନଡିଆ କତାରେ ତାଲିମ ପାଇ ବିଭିନ୍ନ ପ୍ରକାର ଘରର ସାଜସଜ୍ଜା ସାମଗ୍ରୀ ତିଆରି କରି ସମାଜରେ ନିଜକୁ କରିଛନ୍ତି ସ୍ୱାବଲମ୍ବି । ଏପରିକି ମହିଳାମାନେ ଘରର କାର୍ୟ୍ୟ କରିବା ସହିତ ପରିବାର ଚଳେଇବା ପାଇଁ ଏସଏଚଜି ମାଧ୍ୟମରେ ଅଣ୍ଟା ଭିଡିଛନ୍ତି । ଆଉ ପ୍ରମାଣ କରିଛନ୍ତି ପୁରୁଷଙ୍କଠାରୁ ସେମାନେ କେଉଁ ଗୁଣରେ କମ ନାହାନ୍ତି । ଆସନ୍ତୁ ଦେଖିବା କଟକ ଜିଲ୍ଲା ସାଲେପୁର ବ୍ଳକ୍ ସଉରୀ ପଞ୍ଚାୟତ ସାରଦା ଗ୍ରାମର ଶାରେଦେଶ୍ଵରୀ ଓ ଶ୍ରୀ ରାମ ସ୍ୱୟଂ ସହାୟକ ଗୋଷ୍ଟି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ନଡ଼ିଆ କତାରେ ସୁନ୍ଦର ସୁନ୍ଦର ଘର ସାଜସଜ୍ଜା। ଯେଉଁଥିରେ ରହିଛି ଗଛ, ଜଗନ୍ନାଥ, କଇଁଛ, ବୋତଲରେ ଚିତ୍ର ଚଢେଇବସା, ହାତୀ, ଘୋଡ଼ା, କୁମ୍ଭୀର ନଡିଆ, କଳସ ଭଳି ଅନେକ ସାମଗ୍ରୀ।

ନଡ଼ିଆ କତାରେ ତିଆରି ହେଉଛି ଘରସଜ୍ଜା ସାମଗ୍ରୀ । ହାତୀ, ଘୋଡ଼ା, ଫୁଲଦାନୀ, କଇଁଛ, ବାଇ ଚଢ଼େଇ ବସା, କଳସ, କୁମ୍ଭୀର, ଗଛ ଓ ଜଗନ୍ନାଥଙ୍କ ଚିତ୍ର ଆଙ୍କୁଛନ୍ତି ମହିଳା । କଟକ ଜିଲ୍ଲା ସାଲେପୁର ବ୍ଲକ ସାରଦା ଗାଁର ମହିଳା ମାନେ ଏହି ସବୁ ସାମଗ୍ରୀ ତିଆରି କରି ରୋଜଗାରକ୍ଷମ ହୋଇଛନ୍ତି । ମା’ ଶାରଦେଶ୍ୱରୀ ଓ ଶ୍ରୀରାମ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ସଦସ୍ୟ ଏକାଠି ହୋଇ କତାରେ ଘରସଜା ସମଗ୍ରୀ ପ୍ରସ୍ତୁତ କରୁଛନ୍ତି । କତା କଣ୍ଢେଇ ପାଇଁ ଏହି ଗାଁ ମହିଳା ମାନଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । କଣ୍ଢେଇ ଗୁଡିକ ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଦାମ୍ ମଧ୍ୟ ଅଧିକ ରହିଛି । ତେଣୁ ଏହାକୁ ବିକ୍ରି କରି କିଛି ରୋଜଗାର କରିପାରୁଛନ୍ତି ମହିଳା ।

କତାରେ ହାତ ସାମଗ୍ରୀ ତିଆରି କରିବା ପାଇଁ ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ବାହାର ଜିଲ୍ଲାରୁ କଂଚା ମାଲ ଆଣିବାକୁ ପଡ଼ୁଛି । ପ୍ରଥମେ କଇଁଚି ସାହାଯ୍ୟରେ ନଡ଼ିଆ କତାକୁ କାଟି ବିଭିନ୍ନ ଆକୃତି କରି ସୁତାରେ ବାନ୍ଧି ରଖନ୍ତି । ଚୁମୁକି ଓ ତୁଳି ସାହାଯ୍ୟରେ ବିଭିନ୍ନ ରଙ୍ଗବେରଙ୍ଗରେ ସୁସଜ୍ଜିତ କରି ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରନ୍ତି । ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ହାତ ତିଆରି ଜିନିଷ ଗୁଡ଼ିକ ଷ୍ଟଲ ଓ ଦୋକାନରେ ବିକ୍ରି କରାଯାଉଛି । ଆଗକୁ ସରକାରଙ୍କ ଓରମାସ ଷ୍ଟଲରେ ଏହି ସାମଗ୍ରୀ ବିକ୍ରି ହେବାର ଲକ୍ଷ୍ୟ ରହିଛି । ପ୍ରଶାସନ ପକ୍ଷରୁ କଂଚାମାଲ ଯୋଗାଇଦେବା ସହ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କରାଗଲେ ମହିଳା ମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe