କନକ ବ୍ୟୁରୋ : ତିନୋଟି ଗାଁର ମହିଳାଙ୍କ ଠାରୁ ପାଖାପାଖି ୬୦ ଲକ୍ଷ ଟଙ୍କାର ଲୁଟ ଅଭିଯୋଗ । ପଦ୍ମପୁୁର ଉପଖଣ୍ଡ ପାଇକମାଳ ବ୍ଲକ ଜାମସେଠ ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା । ଟଙ୍କା ଆଣିଦେବି କହି ତିନୋଟି ଗାଁର ମହିଳାଙ୍କ ଠାରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି ଜାମସେଠ ଗାଁର କାଂଚନ ଭୋଇ ଓ ତାଙ୍କ ପରିବାର । କାଂଚନଙ୍କ ପୁଅ ମନୋଜ ଗାଁରେ ଏକ ଇଣ୍ଡସ ବ୍ୟାଙ୍କର ଗୋଟିଏ ଗ୍ରାହକ ସେବାକେନ୍ଦ୍ର ଖୋଲିଥିଲେ ।

Advertisment

ପାଖ ଗାଁର ମହିଳାଙ୍କୁ ମାଇକ୍ରୋଫାଇନାନ୍ସ କମ୍ପାନୀ ମାନଙ୍କରୁ ଋଣ କରିଦେବି କହି କାଂଚନ ସେମାନଙ୍କ ଠାରୁ ବିଭିନ୍ନ କାଗଜ ଆଣିଥିଲେ । ପରେ ଦୁହେଁ ଘରକୁ ଘର ଯାଇ ଟଙ୍କା ଆଣିଦେବୁ କହି ମହିଳାଙ୍କ ଠାରୁ ଆଙ୍ଗୁଳି ସ୍କାନ କରିଥିଲେ । ହେଲେ ସ୍କାନର ଦୁଇଦିନ ପରେ ଟଙ୍କା ଦେଇ ନଥିଲେ । ଗାଁ ମହିଳାମାନେ କାଂଚନଙ୍କ ଘରକୁ ଯାଇଥିବାବେଳେ ତାଙ୍କ ଘର ବନ୍ଦ ହୋଇଛି । ଏହାକୁ ନେଇ ମହିଳାମାନେ ପାଇକମାଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ଏହାକୁ ଦୀର୍ଘ ୨୧ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଦେଖା ନାହିଁ । ପଦ୍ମପୁର ଏସଡ଼ିପିଓଙ୍କୁ ପଚାରିବାରୁ ସେ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ।