କନକ ବ୍ୟୁରୋ : ଆଗକୁ ଆସୁଛି ପାର୍ବଣର ରୁତୁ । ରାକ୍ଷୀ ପୂର୍ଣ୍ଣିମା, ଗଣେଷ ପୂଜା, ବିଶ୍ୱକର୍ମା ପୂଜା, ଦୂର୍ଗାପୂଜା ଭଳି ଅନେକ ପର୍ବ ଆସୁଛି । ଆଉ ପୂଜା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡ଼ିକ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ବାଲେଶ୍ୱର ବାହାନଗା ବ୍ଲକ ସୁଠଙ୍ଗ ଅଂଚଳର ମହିଳା ମାନେ । ଦେବାଦେବୀଙ୍କ ପୋଷାକ, ଘାଗରା, ମାଳି, ମୁକୁଟ, ପତାକା ଭଳି ସାମଗ୍ରୀ ସିଲେଇ କରୁଛନ୍ତି ମହିଳା । କଲିକତା ଓ କଟକରୁ କଂଚାମାଲ ଅଣି ସେଥିରୁ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି । ୫ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ବିକ୍ରି କରୁଛନ୍ତି । ସ୍ଥାନୀୟ ଅଂଚଳ ସହ ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର, ସମ୍ବଲପୁର ଭଳି ଜିଲ୍ଲାକୁ ବିକ୍ରି ପାଇଁ ପଠାଉଛନ୍ତି । ଏଥିରୁ ମିଳୁଥିବା ରୋଜଗାରରେ ସେମାନେ ଆତ୍ମନିର୍ଭର ହୋଇପାରୁଛନ୍ତି ।

Advertisment

୨୦୧୦ ମହିଳାରୁ ମା’ ବନଦୂର୍ଗା ଏସଏଚଜି ମହିଳା ମାନେ ଏହିସବୁ ସାମଗ୍ରୀ ତିଆରି କରି ଆସୁଛନ୍ତି । ଏହାଦ୍ୱାରା ସେମାନେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସହାୟତା କରିପାରୁଛନ୍ତି । ଏହି ଗ୍ରୁପର ୧୧ ଜଣ ମହିଳା ମିଶି ୧୦୦ରୁ ଅଧିକ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହା ସହ ସ୍ଥାନୀୟ ଅଂଚଳର ମହିଳା ମାନେ ମଧ୍ୟ ଏଥିରେ ନିୟୋଜିତ ଅଛନ୍ତି । ଏହି କାମରେ ପାଖାପାଖି ୨୦୦ ଜଣ ମହିଳା କାମ କରି ସ୍ଥାନୀୟ ଅଂଚଳରେ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ବିଶେଷକରି ମହିଳା ମାନେ ବିଭିନ୍ନ ପୂଜା ସାମଗ୍ରୀ ସହ ବାହାଘର ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ମଧ୍ୟ ତିଆରି କରୁଛନ୍ତି । ବିଭିନ୍ନ ପ୍ରକାରର ମାଳି ଓ ବାହା ମୁକୁଟ ତିଆରି କରି ବଜାରରେ ବିକ୍ରି କରୁଛନ୍ତି । ଯାହା ମହିଳା ମାନଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ।