ଆଜି ମହିଳାଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ପଠାଇବେ ମୋଦି । ଏପ୍ରିଲ୍ ମାସରେ ପ୍ରଥମ କିସ୍ତି ପରେ ଏବେ ହିତାଧିକାରୀଙ୍କ ଖାତାକୁ ଆସିବ ଦ୍ୱିତୀୟ କିସ୍ତିର ପଇସା

5,521

କନକ ବ୍ୟୁରୋ: କରୋନା ପ୍ରଭାବିତ ଗରିବ ଲୋକଙ୍କୁ ସହାୟତା ପାଇଁ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଗତ ମାର୍ଚ୍ଚ ମାସରେ ‌ଘୋଷଣା ହୋଇଥିବା ଏହି ପ୍ୟାକେଜ୍ ଅନୁଯାୟୀ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ୩ ମାସ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାସିକ ୫ ଶହ ‌ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏପ୍ରିଲ ମାସରେ ପ୍ରଥମ କିସ୍ତି ରାଶି ପ୍ରଦାନ କରାଯାଇ ସାରିଥିବାବେଳେ ମେ ମାସର ଦ୍ବିତୀୟ କିସ୍ତି ବାବଦ ରାଶି ଆଜି ( ୪ ତାରିଖ-ସୋମବାର) ଠାରୁ ହିତାଧିକାରୀମାନଙ୍କୁ ମିଳିବ।

କେନ୍ଦ୍ର ଆର୍ଥିକ ସେବା ବ୍ୟାପାର ସଚିବ ଦେବାଶିଷ ପଣ୍ଡା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସମସ୍ତ ହିତାଧିକାରୀଙ୍କ ଖାତାକୁ ପାଞ୍ଚ ଦିନ ମଧ୍ୟରେ ଟଙ୍କା ପଳାଇବ ବୋଲି ସେ କହିଛନ୍ତି। ହିତାଧିକାରୀଙ୍କୁ ଏହି ଟଙ୍କା ଉଠାଇବା ପାଇଁ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ହିତାଧିକାରୀମାନେ ବ୍ୟାଙ୍କ ଶାଖା, ଏଟିଏମ୍‌ କିମ୍ବା ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଏହି ଟଙ୍କା ଉଠାଇ ପାରିବେ। ବ୍ୟାଙ୍କ ଶାଖାରେ ଯେଭଳି ଅଧିକ ଭିଡ଼ ‌ନହେବ ତାହାକୁ ଦୃଷ୍ଟିରେ ରଖି ୫ ଦିନରେ ଏହି ଅର୍ଥ ଟ୍ରାନ୍ସଫର କରାଯାଉଛି।