ପରିବାରର କାହାର ମୃତ୍ୟୁ ହେଲେ ମହିଳାଙ୍କୁ କାଟିବାକୁ ପଡେ ଆଙ୍ଗୁଠି । ଜାଣନ୍ତୁ କେଉଁଠି ଅଛି ଏଭଳି ଭୟଙ୍କର ପରମ୍ପରା ।

212

କନକ ବ୍ୟୁରୋ : ବିଶ୍ୱରେ ଏବେ ବି ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଅଜବ ପରମ୍ପରା ରହିଛି । ଯାହା ବାବଦରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଭାରତ ସମେତ ଏମିତି ଅନେକ ଦେଶ ଅଛି ଯେଉଁଠି ନିଜର ପରମ୍ପରାକୁ କେହି ଭୁଲନ୍ତି ନାହିଁ । କିନ୍ତୁ କିଛି ଏମିତି ପରମ୍ପରା ରହିଛି ଯାହା ଉପରେ ସରକାର କଟକଣା ଲଗାଇଛନ୍ତି । ଏହାସତ୍ତେ୍ୱ ମଧ୍ୟ ଆପଣ କେବେ ଏମିତି ପରମ୍ପରା ବାବଦରେ ଶୁଣିଛନ୍ତି କି, ପରିବାରର କାହାର ମୃତ୍ୟୁ ହେଲେ ଘରର ମହିଳା ନିଜର ଆଙ୍ଗୁଠି କାଟିଥାନ୍ତି । ଏଭଳି ଭୟଙ୍କର ପରମ୍ପରାକୁ ବର୍ଷ ବର୍ଷ ଧରି ପାଳନ କରାଯାଉଛି । ଆଉ ତାହା ବି ପୁଣି ପୂରା ରୀତି ନୀତି ଅନୁଯାୟୀ । ଆଉ ଏଭଳି ପରମ୍ପରା ଇଣ୍ଡୋନେସିଆରେ ଦେଖିବାକୁ ମିଳେ ।

ସାଧାରଣତଃ ପରିବାରରେ କାହାର ମୃତ୍ୟୁ ହେଲେ ସମବେଦନା ଜଣାଇବାକୁ ଲୋକେ ଆଗେଇ ଆସନ୍ତି । ଦାରୁଣ ଦୁଃଖ ସମୟରେ ସାଥ୍ ଦିଅନ୍ତି । କିନ୍ତୁ ଇଣ୍ଡୋନେସିଆରେ ଏମିତି ଏକ ଜନଜାତିର ଲୋକ ଅଛନ୍ତି ଯେଉଁଠି ପରିବାରରେ କାହାର ମୃତ୍ୟୁ ହେଲେ ଘରର ମହିଳାଙ୍କୁ ବେଶ କଷ୍ଟ ସହିବାକୁ ପଡିଥାଏ । କାରଣ ପରିବାରରେ କାହାର ମୃତ୍ୟୁ ହେଲେ ଘରର ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଇଥାଏ । ଏଠାରେ ପରିବାରର ସଦସ୍ୟଙ୍କୁ ହରାଇ ମହିଳା ମାନେ କେବଳ ଯେ, ମାନସିକ ଭାବେ ଗଭୀର ଆଘାତ ପାଇଥାନ୍ତି ତାହା ନୁହେଁ ଶାରୀରିକ ଭାବେ ମଧ୍ୟ ବେଶ କଷ୍ଟ ସହିବାକୁ ପଡିଥାଏ । ଘରେ କୌଣସି ପ୍ରିୟଜନଙ୍କ ମୃତ୍ୟୁ ହେଲେ ଏହି ଜନଜାତିର ମହିଳା ମାନେ ନିଜ ଆଙ୍ଗୁଠିର ଅଧା କାଟିଥାନ୍ତି ।

ଏହି ଜନଜାତିର ଲୋକ ମାନିଥାନ୍ତି ଯେ, ଆଙ୍ଗୁଠି କାଟିବା ଦ୍ୱାରା ମୃତ ବ୍ୟକ୍ତିଙ୍କର ଆତ୍ମାକୁ ଶାନ୍ତି ମିଳିଥାଏ ଏବଂ ଏହାକୁ ଶୋକର ପ୍ରତୀକ ବୋଲି କୁହାଯାଇଥାଏ । ଏପରିକି କିଛି କୁନି ଶିଶୁଙ୍କର ଆଙ୍ଗୁଠିକୁ ସେମାନଙ୍କ ମା’ କାଟି ଦେଇଥାନ୍ତି । ଏହି ପ୍ରଥାକୁ ଇକିପଲିନ ବୋଲି କୁହାଯାଏ । କିଛି ବର୍ଷ ପୂର୍ବେ ଇଣ୍ଡୋନେସିଆ ସରକାର ଏହି ପ୍ରଥା ଓ ପରମ୍ପରା ଉପରେ କଟକଣା ଲଗାଇଥିଲେ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଏହି ପ୍ରଥା ଏଠାରେ ଏବେ ବି ଗୁପ୍ତ ଭାବେ ଜାରି ରହିଛି । ଏଠାରେ କଟା ଆଙ୍ଗୁଠିକୁ ଦେଖି ମହିଳାଙ୍କୁ ସହଜରେ ଚିହ୍ନି ହୋଇଥାଏ ।

ଅଢେଇ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଜନଜାତି ପଶ୍ଚିମ ନ୍ୟୁ ଗିନିର ଉଚ୍ଚ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ବାସ କରନ୍ତି । ୧୯୩୮ ମସିହାରେ ଆମେରିକାର ଜଣେ ବ୍ୟକ୍ତି ଏହି ଅଞ୍ଚଳର ବାସ୍ତବ ଚିତ୍ର ସାମ୍ନାକୁ ଆଣିଥିଲେ । ଏଠାରେ ଲୋକମାନେ ପ୍ରିୟଜନଙ୍କ ମର ଶରୀରକୁ ମମି ଭାବେ ରଖିଥାନ୍ତି ।