୨୦୧୨ରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ବାର୍ଷିକ ଦେଉଛି ୧୨ଲକ୍ଷ ଟଙ୍କାର ଆୟ । ଧୂପକାଠି ତିଆରି କରି ସ୍ୱାବଲମ୍ବୀ ହେଲେ ଧର୍ମଶାଳାର ମହିଳା ସଂଘ । 

165

କନକ ବ୍ୟୁରୋ : ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ଯାଜପୁର ଜିଲ୍ଳା ଧର୍ମଶାଳାର ପାଟପୁର ଅଗରବତୀ ମହାସଂଘର ମହିଳାମାନେ ଧୂପକାଠି ବିକ୍ରି କରି ବାର୍ଷିକ ୧୦ରୁ ୧୨ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି । ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ସଫଳତାର ଶୀର୍ଷରେ ପହଞ୍ଚିଛି ଏବଂ ଏହି ମହିଳାମାନଙ୍କୁ ବ୍ୟବସାୟୀର ପରିଚୟ ବି ଦେଇଛି ।

ଏହି ମହିଳା ଜଣକ ହେଉଛନ୍ତି ପାଟପୁର ଗାଁର ଶାନ୍ତିଲତା ଦାସ । ରୋଜଗାର କ୍ଷମ ହେବା ନିଶାରେ ଆରମ୍ଭ କରିଥିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଅଗରବତୀ ବ୍ୟବସାୟ । ୨୦୧୨ ମସିହାରେ ପାଟପୁର ଅଗରବତୀ ମହାସଂଘ ନାମରେ ଗୋଷ୍ଠୀ ଗଠନ କରିବା ସହ ୨୫ରୁ ୩୦ ମହିଳାଙ୍କୁ ନେଇ ଆରମ୍ଭ କରିଥିଲେ ବ୍ୟବସାୟ । ମହିଳାମାନଙ୍କର ଉଦ୍ୟମ ଓ ଆଗ୍ରହକୁ ଆଖି ଆଗରେ ରଖି ଓରମାସ ପକ୍ଷରୁ ଏହି ଅଗରବତୀ ସଂଘକୁ ୨୦ଟି ମେସିନ ଯୋଗାଇଦିଆଯିବା ପରେ ଏବେ ବେଶ୍ ଚାହିଦା ବଢିଛି ଅଗରବତୀର । ଏହି ଅଗରବତୀ ଫାର୍ମରେ ଏବେ ପାଟପୁର ଗାଁର ୩୦ରୁ ଅଧିକ ମହିଳା କାମ କରି ପ୍ରତିଦିନ ୩ଶହ ଯାଏ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଓରମାସ ସହାୟତାରେ ଅଗରବତୀ ତିଆରି ମେସିନ ପାଇବା ପରେ ଏବେ ଏହି ମହାସଂଘର ସଦସ୍ୟାମାନେ ମାସକୁ ୩ରୁ ଚାରି ହଜାର ଟଙ୍କା ରୋଜଗାର କରୁଥିବା ବେଳେ ବର୍ଷକୁ ୧୦ରୁ ୧୨ଲକ୍ଷ ଟଙ୍କାର ବ୍ୟବସାୟ କରିବାକୁ ସକ୍ଷମ ହୋଇଛନ୍ତି । ବଜାରରୁ ସଂଗ୍ରହ କରାଯାଇଥିବା ପାଉଡରକୁ ପାଣିରେ ମିଶାଇ ଗ୍ରାଇଣ୍ଡିଂ କରାଯାଏ । ପରେ ଏହି ପେଷ୍ଟକୁ ମେସିନର ସିଲିଣ୍ଡରରେ ଭର୍ତ୍ତି କରି ଷ୍ଟିକ ଦିଆଯାଇ ଅଗରବତୀ କାଠି ବାହାର କରାଯାଏ । ପରେ ଏହାକୁ ବାଛି ଖରାରେ ଶୁଖାଇ ଏଗୁଡିକୁ ବିଭିନ୍ନ ଫ୍ଲେଭରର ଅତର ଦେଇ ସୁଗନ୍ଧିତ କରାଯିବା ପରେ ପ୍ୟାକ କରାଯାଇ ମାର୍କେଟକୁ ଛଡାଯାଏ ।

ପାଟପୁର ଅଗରବତୀ ମହାସଂଘର ମହିଳାମାନେ ପ୍ରସ୍ତୁତ କରୁଥିବା ଧୂପକାଠିର ଚାହିଦା ବଢୁଥିବାରୁ ସେମାନଙ୍କର ରୋଜଗାର ବଢିବ ବୋଲି ଗ୍ରୁପର ସଦସ୍ୟାମାନେ ବେଶ୍ ଆଶାବାଦୀ । ଏହା ଦ୍ୱାରା ଅନ୍ୟ ମହିଳାମାନେ ମଧ୍ୟ ପ୍ରେରଣା ପାଇ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଛନ୍ତି ପାଟପୁର ପଂଚାୟତର ସରପଂଚ ନଗେନ କୁମାର ଦାସ ।

ଅଗରବତୀ ତିଆରି କରି ନିଜକୁ ସ୍ୱାବଲମ୍ବୀ କରିପାରିଥିବା ପାଟପୁର ମହିଳା ମହାସଂଘର ଏହି ବ୍ୟବସାୟିକ ସଫଳତା ନିଶ୍ଚୟ ଅନ୍ୟ ବେକାରୀ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଯୋଗାଇବ ।