ଗାଈ ପାଳନ କରି ମହିଳା ସାଜିଛନ୍ତି ସ୍ୱାବଲମ୍ବୀ, ନିଜେ ରୋଜଗାର କରିବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

120

କନକ ବ୍ୟୁରୋ : ଗୋ ପାଳନ ଉପରୁ ଲୋକମାନେ ମନ ଫେରାଇ ନେଉଥିବା ବେଳେ ୧୦ଟି ଜର୍ସି ଗାଈ ରଖି ଭଲ ରୋଜଗାର କରୁଛନ୍ତି ଯାଜପୁରର ବିଦ୍ୟୁତ୍ପ୍ରଭା କର । ନିଜ ପରିବାର ଚଳାଇବା ସହ ପିଲାଙ୍କୁ ମଧ୍ୟ ଉଚ୍ଚ ଶିକ୍ଷିତ କରାଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ କିଛି ଲୋକଙ୍କୁ ରୋଜଗାର ଯୋଗାଇବାରେ ସହାୟତା କରିଛନ୍ତି ବିଦ୍ୟୁତପ୍ରଭା । ସେ ଜଣେ ଶିକ୍ଷିତ ମହିଳା ହୋଇଥିବାବେଳେ ପିଲାବେଳୁ ଗୋ ସେବା ପ୍ରତି ତାଙ୍କର ଦୁର୍ବଳତା ଥିଲା । ତେଣୁ ପାଠ ପଢିବା ସମୟରୁ ସେ ବାପଘରେ ଗାଈ ରଖୁଥିଲେ । ପରେ ବିବାହ ହୋଇ ଶାଶୁ ଘରକୁ ଆସିଲା ପରେ ଦୁଇଟି ଜର୍ସି ଗାଈ ଆଣି ପାଳନ କରିଥିଲେ । ନିଜସ୍ୱ ଉଦ୍ୟମରେ କିଛି ଗାଇ କିଣି ଏବେ ଏହାର ସଂଖ୍ୟା ୧୦ର ପହଂଚିଛି । ଏଥିରୁ ତାଙ୍କୁ ମାସକୁ ୧୦ ହଜାରରୁ ୧୨ ହଜାର ଟଙ୍କା ରୋଜଗାର ମିଳିପାରୁଛି ।

ଗୋ ପାଳନରୁ ବିଭିନ୍ନ ପ୍ରକାରର ଦୁଗ୍ଧ ଜାତୀୟ ଦ୍ରବ୍ୟ ଯଥା ବସାଦହି, ଘୋଳ ଦହି, ଛେନା, ପନୀରି, ଘିଅ ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରିନ୍ତି ବିଦ୍ୟୁତ୍ ପ୍ରଭା । ଏହି ସବୁ ବିକ୍ରି କରିବାରେ ସ୍ୱାମୀ ଓ ଦିଅର ତାଙ୍କୁ ସହଯୋଗ କରନ୍ତି ।

ବର୍ତମାନ ସମୟରେ ଯୁବକ ମାନେ ଦାଦନ ଖଟିବାକୁ ଦୌଡ଼ିଥିବା ବେଳେ ବିଦୂତ୍ ପ୍ରଭାଙ୍କ ଭଳି ମହିଳା ଚାକିରୀ ପଛରେ ନଗୋଡ଼ାଇ ଗୋ ପାଳନକରି ସଫଳତା ପାଇଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।