ବିରି ବଡ଼ିରୁ ଭଲ ରୋଜଗାର । ପିପିଲି ରଇତପାଟଣା ଗାଁ ମହିଳାମାନେ ବଡି ପ୍ରସ୍ତୁତ କରି ହୋଇଛନ୍ତି ସ୍ୱାବଲମ୍ବୀ

114

କନକ ବ୍ୟୁରୋ : ଗାଁ ମହିଳାଙ୍କୁ ବଡ଼ି ଦେଉଛି ରୋଜଗାର । ପୁରୀ ଜିଲ୍ଲା ପିପିଲି ବ୍ଲକ ରଇତିପାଟଣା ଗାଁର ୫୦ରୁ ଉଦ୍ଧ୍ୱର୍ ମହିଳା ଏହି କାମ କରି କିଛି ରୋଜଗାର କରୁଛନ୍ତି । ନିଜସ୍ୱ ଉଦ୍ୟମରେ ରୋଜଗାର କରି ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମହିଳା ମାନେ ଚାଷୀଙ୍କ ଠାରୁ ବିରି କିଣି ନିଜେ ଫାଳ କରି ମେସିନ୍ରେ ଗ୍ରାଇଂଡ଼ିଙ୍ଗ କରି ବଡ଼ି ପ୍ରସ୍ତୁତ କରୁଛନ୍ତି । ଟିଣରେ ବଡ଼ି ପାରି ଏହାକୁ ଖରାରେ ଶୁଖାଉଛନ୍ତି । ବଡ଼ି ଶୁଖିଗଲା ପରେ ଏହାକୁ ପଲିଥିନ୍ରେ ପ୍ୟାକିଂ କରି ବଜାରରେ ବିକ୍ରି କରୁଛନ୍ତି ମହିଳା ।

ସ୍ୱାମୀଙ୍କ ଉପରେ ନିର୍ଭର ନକରି ନିଜେ ନିଜ ଖର୍ଚ୍ଚ ତୁଲାଇବା ସହ ପରିବାରକୁ ଆର୍ଥିକ ସାହାଯ୍ୟ କରୁଛନ୍ତି ଏହି ମହିଳା ମାନେ । ସକାଳୁ ଦିନ ୧୦ଟା ପର୍ଯ୍ୟନ୍ତ ଏହି କାମ କରି ପୁଣି ଘର କାମ କରୁଛନ୍ତି ମହିଳା । ସବୁଠାରୁ ବଡ଼ କଥା ହେଉଛି ବିନା କିଛି ସରକାରୀ ସହାୟତାରେ ମହିଳା ମାନେ ଏହି କାମ କରୁଛନ୍ତି । ବଡ଼ି କିଲୋ ପିଛା ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ।

ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ଜଟଣୀ, ବ୍ରହ୍ମପୁର ଭଳି ସହରକୁ ବିକ୍ରି ପାଇଁ ପଠାଉଛନ୍ତି । ବଜାରରେ ମଧ୍ୟ ମହିଳାଙ୍କର ଏହି ହାତ ତିଆରି ବଡ଼ିର ବେଶ ଚାହିଦା ରହିଛି । ତେଣୁ ଏହି ବ୍ୟବସାୟ କରି ଲାଭବାନ ହେଉଛନ୍ତି ମହିଳା ।