ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଲେ ନବୀନ । କହିଲେ, ମହିଳା ସଶକ୍ତିକରଣ ହିଁ ଦେଶ ବିକାଶର ପ୍ରକୃତ ଡବଲ ଇଞ୍ଜିନ ।

455

କନକ ବ୍ୟୁରୋ : ମହିଳା ସଶକ୍ତିକରଣ ହେଉଛି ପ୍ରକୃତ ଡବଲ ଇଞ୍ଜିନ । ମୋଦି ଓ ଅମିତ ଶାହାଙ୍କ ଡବଲ ଇଞ୍ଜିନ ଉପାଖ୍ୟାନକୁ ତେରଛା ବାଣ ମାରି ନବୀନ ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଇଛନ୍ତି । ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ । ଏହାର ଉଦାହରଣ ଦେବାକୁ ଯାଇ ନବୀନ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଓ ଜର୍ମାନୀର ଚାନସେଲରଙ୍କ କଥା ଉଠାଇଛନ୍ତି ।

ଭୋଟଗ୍ରହଣ ପୂର୍ବରୁ ଡବଲ ଇଞ୍ଜିନର ନୂଆ ସଂଜ୍ଞା ସାମ୍ନାକୁ ଆଣି ନବୀନ ଦୁଇ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି । ଯେଉଁ ଦେଶରେ ମହିଳା ସଶକ୍ତିକରଣ ଉପରେ ଫୋକସ କରାଯାଇନଥାଏ , ତାହା ସିଙ୍ଗଲ ଇଞ୍ଜିନ ଚାଲିବା ଭଳି ହୋଇଥାଏ । ଦେଶରେ ଠିକ୍ ଭାବରେ ବିକାଶ ହୋଇନଥାଏ । କିନ୍ତୁ ମହିଳା ସଶକ୍ତିକରଣ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ । ଏହାଦ୍ୱାରା ଦେଶରେ ବିକାଶ ଓ ସମତା ଆସିପାରିବ ।

ଗୋଟିଏ ପଟେ ଜାତୀୟ ଦଳ ଗୁଡିକ ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତିକରଣର କଥା କହୁଛନ୍ତି । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ସର୍ବଦା ପଛଘୁଞ୍ଚା ଦେଉଛନ୍ତି । ତେବେ ବିଜେଡି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ମହିଳା ସଶକ୍ତିକରଣର ସାରଥୀ ଥିବା ବିଜୁ ବାବୁ ପ୍ରଥମେ ମହିଳା ମାନଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନରେ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ବିଜେଡି ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା ।

ସେହିଭଳି ମହିଳା ସଶକ୍ତିକରଣ ପାଇଁ ବିଜେଡି ଆଉ ଗୋଟିଏ ପାଦ ଆଗକୁ ଯିବା ସହ ପ୍ରଥମ ରାଜନୈତିକ ଦଳ ଭାବେ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭାକୁ ପଠାଇବାକୁ ନିଷ୍ପତି କରିଛି । ଯାହା ମୋ ପାଇଁ ସବୁଠାରୁ ଆନନ୍ଦଦାୟକ ମୂହୁର୍ତ୍ତ ବୋଲି କହିଛନ୍ତି ନବୀନ । ଏପରିକି ଦଳ ୭ ଜଣ ମହିଳାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରିଛି । ତେଣୁ ମହିଳାଙ୍କ ସ୍ୱର ଦିଲ୍ଲୀ ଦରବାରରେ ପହଞ୍ଚାଇବା ପାଇଁ ୭ ପ୍ରାର୍ଥୀଙ୍କୁ ଓଡିଶାବାସୀ ସୁଯୋଗ ଦେବେ ବୋଲି ନବୀନ କହିଛନ୍ତି । ବାରମ୍ବାର ମହିଳା ସଶକ୍ତିକରଣର କଥା କହୁଥିବା ଜାତୀୟ ଦଳ ଗୁଡିକ ନିର୍ବାଚନ ସମୟରେ ସତେ ଯେମିତି ଉଦ୍ଦେଶ୍ୟମୂଳକ ଭାବେ ଏହି ପ୍ରସଙ୍ଗରେ ଚୁପ ହୋଇଯାଆନ୍ତି । ତେଣୁ ଜାତୀୟ ଦଳ ଗୁଡିକର ନୀରବତା ଭଙ୍ଗ କରିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରିଛି ବିଜେଡି । ଓଡିଶାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଜାତୀୟ ଦଳମାନଙ୍କୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ବୋଲି କହିଛନ୍ତି । ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ହିଁ ଦେଶର ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି କହିଛନ୍ତି ନବୀନ ।