କନକ ବ୍ୟୁରୋ : ବିହାର ବିଧାନସଭାରେ ମହିଳାଙ୍କ ସେକ୍ସ ଏଜୁକେଶନକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଜେପି ସହ ଅନ୍ୟ ବିରୋଧୀ ନୀତୀଶଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଜାତୀୟ ମହିଳା କମିଶନ ଏନେଇ ନୀତୀଶଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ଚାରିଆଡୁ ବିରୋଧ ପରେ ନୀତିଶ ନିଜ ମନ୍ତବ୍ୟ ପ୍ରତ୍ୟାହାର କରିବା ସହ କ୍ଷମା ମାଗିଛନ୍ତି । ନୀତୀଶ କହିଛନ୍ତି, ଯଦି ମୋ କଥା କାହାକୁ କଷ୍ଟ ଦେଇଛି, ମୁଁ କ୍ଷମା ମାଗୁଛି ଏବଂ ମୋ ମନ୍ତବ୍ୟ ପ୍ରତ୍ୟାହାର କରୁଛି ।

Advertisment

ମଙ୍ଗଳବାର ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ମତ ରଖୁଥିଲେ ନୀତୀଶ । ନୀତୀଶ କହିଥିଲେ, ବିହାରରେ ଜନ୍ମହାର ୪ ଦଶମିକ୍ ୨ ପ୍ରତିଶତରୁ ୨ ଦଶମିକ ୯ ପ୍ରତିଶତକୁ ଖସିଆସିଛି । ଏହା ପଛରେ କାରଣ ହେଉଛି ସେକ୍ସ ଏଜୁକେଶସ । ବିହାରରେ ମହିଳାମାନେ ସେକ୍ସ ଏଜୁକେଶନରେ ଆଗୁଆ । ଯାହା ସେମାନଙ୍କ ସାମୀଙ୍କ ସହ ଶାରୀରିକ ସମ୍ପର୍କକୁ ପ୍ରଭାବିତ କରୁଛି । ମହିଳାଙ୍କ ଉପରେ ପୁରୁଷଙ୍କ ପ୍ରଧାନ୍ୟ ଯୋଗୁ ଜନ୍ମହାର ବଢିଥାଏ କିନ୍ତୁ ଶିକ୍ଷା ଯୋଗୁ ମହିଳାମାନେ ସ୍ଥିିତି ସୁଧାରିନେଉଛନ୍ତି, ଯାହା ଜନ୍ମହାର କମିବାର ମୁଖ୍ୟ କାରଣ ।

ବୁଧବାର ନୀତୀଶ ବିଧାନସଭା ଆସିବା ପରେ ବିଜେପି ବିଧାୟକମାନେ ନାରାବାଜି କରିଥିଲେ । ନୀତୀଶକୁ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ । ମହିଳାଙ୍କ ଉପରେ ଏଭଳି ମନ୍ତବ୍ୟ ପାଇଁ ନୀତୀଶ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ବିଜେପି ବିଧାୟକମାନେ । ପରେ ବିଧାନସଭାରେ ନୀତୀଶଙ୍କୁ ସଫେଇ ଦେବାକୁ ପଡିଥିଲା । ନୀତୀଶ କହିଥିଲେ ସେ ଜାଣି ନଥିଲେ ତାଙ୍କ କଥାକୁ ନେଇ ଏତେ ବିବାଦ ଉପୁଜିବ ।

ଏଭଳି ବିବାଦ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ବଂଚାଇବାକୁ ଚେଷ୍ଟା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ମୁଖ୍ୟମନ୍ତ୍ରୀ ସେକ୍ସ ଏଜୁକେଶନ ଉପରେ ଯାହା କିଛି କହିଛନ୍ତି, ତାକୁ ନେଇ ଦ୍ୱିମତ ଥାଇପାରେ କିନ୍ତୁ ତାହା ସ୍କୁଲରେ ଶିଖା ଯାଉଛି । ଆମକୁ ବାସ୍ତବିକ ହେବାକୁ ପଡିବ ସେ କହିଛନ୍ତି ।