ମୁଢ଼ି ଦେଉଛି ରୋଜଗାର । ମାସକୁ ୧୦ କୁଇଂଟାଲ ମୁଢ଼ି ବିକ୍ରି କରୁଛନ୍ତି ମହିଳା

244

କନକ ବ୍ୟୁରୋ : ବାଲେଶ୍ୱର ଓ ବାରିପଦା ଅଂଚଳର ଲୋକଙ୍କ ପ୍ରିୟ ଖାଦ୍ୟ ଭିତରେ ମୁଢ଼ି ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ସକାଳ ହେଉ କିମ୍ବା ସଂଜ ଏମାନେ ଖାଇବାରେ ମୁଢ଼ିକୁ ସାମିଲ କରନ୍ତି । ତେଣୁ ଲୋକଙ୍କ ରୁଚି ଏବଂ ବଜାରର ଚାହିଦାକୁ ନଜରରେ ରଖି ବାଲେଶ୍ୱର କସିମିଲା ଗାଁର ଏସଏଚଜି ମହିଳା ମାନେ ମୁଢ଼ିକୁ ବ୍ୟବସାୟର ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି । ପାରମ୍ପାରିକ ପ୍ରଣାଳୀରେ ମୁଢ଼ି ଭାଜି ସ୍ଥାନୀୟ ବଜାର ସହ ଆଖପାଖ ଅଂଚଳର ଲୋକଙ୍କୁ ବିକ୍ରି କରୁଛନ୍ତି । ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ମହିଳା ମାନେ ମୁଢ଼ି ପ୍ରସ୍ତୁତ କରୁଥିବାରୁ ଏହାର ବେଶ ଆଦୃତି ରହିଛି । ମାସକୁ ପାଖାପାଖି ୧୦ କୁଇଂଟାଲରୁ ଅଧିକ ମୁଢ଼ି ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି ମହିଳା ।

୨୦୧୭ରୁ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳା ମାନେ ମୁଢ଼ି ବ୍ୟବସାୟ କରିଆସୁଛନ୍ତି । ବଜାରରେ ଏହାର ଚାହିଦା ବଢ଼ୁଥିବାରୁ ଏବେ ୱାନ୍ ଜିପି ୱାନ୍ ପ୍ରଡକ୍ଟରେ ସାମିଲ ହୋଇ ବଜାରକୁ ମୁଢ଼ି ଯୋଗାଉଛନ୍ତି । ମୁଢ଼ି, ଚୁଡ଼ା ଭଜା, ନିମକି ଭଳି ସ୍ୱାଦିଷ୍ଟ ଖାଦ୍ୟ ବିକ୍ରି କରି ମାସକୁ ୫ରୁ ୬ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ମହିଳା । ଏଥିପାଇଁ ଆବଶ୍ୟକ ହେଉଥିବା ମୁଢ଼ି ଭଜା ଚାଉଳ, ଲୁଣ ଏବଂ ଜାଳେଣି ସଂଗ୍ରହ କରି ଏହି କାମରେ ଲାଗିପଡ଼ନ୍ତି ମହିଳା । ରାତି ୩ଟାରୁ ମୁଢ଼ି ଭଜା କାମ ଆରମ୍ଭ ହୋଇଥାଏ । ମୁଢ଼ି ଭଜା ହେବା ପରେ ଏହାକୁ ପରିଷ୍କାର କରି ପ୍ୟାକେଟ୍ରେ ଭର୍ତି କରି ବିକ୍ରି କରାଯାଏ । ଖାଲି ବଜାର ନୁହେଁ ଆଖପାଖ ଅଂଚଳର ଲୋକେ ମଧ୍ୟ ମହିଳାଙ୍କ ନିକଟକୁ ଆସି ମୁଢ଼ି କିଣିନିଅନ୍ତି । ନିଜସ୍ୱ ଉଦ୍ୟମରେ ମହିଳା ମାନେ ରୋଜଗାର କରିପାରୁଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

ଘର କାମ ସାରି ଅବସର ସମୟକୁ ଉପଯୋଗ କରି ମହିଳାମାନେ କିଛି କିଛି ରୋଜଗାର କରିପାରୁଛନ୍ତି । ଯାହା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛି ।