ପାଣିର ଗାର ପାଲଟିଛି ପ୍ରଶାସନର ପ୍ରତିଶ୍ରୁତି: ମହିଳାଙ୍କୁ ମିଳୁ ନାହିଁ ‘ମୋ ବଗିଚା’ ସହାୟତା 

224
କନକ ବ୍ୟୁରୋ: ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କର ଭିନ୍ନ ଭିନ୍ନ ଯୋଜନା ରହିଛି । ଯୋଜନା ବିଷୟରେ ଲୋକମାନେ ଜାଣିଲେ ମଧ୍ୟ ତାର ଉପକାର ପାଇପାରୁନାହାନ୍ତି । ଲୋକଙ୍କ ନିକଟରେ ପହଁଚିବା ପୂର୍ବରୁ  ବାଟମାରଣର ହୋଇ ଯାଉଛି ଯୋଜନାର ଅର୍ଥ । ସେମିତି ଏକ ଯୋଜନା ‘ମୋ ବଗିଚା ଯୋଜନା’ । ହିତାଧିକାରୀ ମୋ ବଗିଚା କରିବା ପରେ ମିଳୁନି ସରକାରଙ୍କ ଘୋଷଣା କରିଥିବା ଅର୍ଥ ।
ପ୍ରଶାସନର ପ୍ରତିଶ୍ରୁତି ମୁତାବକ, ନିଜ ଖର୍ଚ୍ଚରେ ‘ମୋ ବଗିଚା’ କରିଛନ୍ତି ହିତାଧିକାରୀ । ହେଲେ ମିଳୁନି ସରକାର ଘୋଷଣା କରିଥିବା ଅର୍ଥ । ଏଭଳି ଅଭିଯୋଗ କରିଛନ୍ତି ଗଂଜାମ ବୁଗୁଡା ବ୍ଲକ ବାଦପଲ୍ଲି ଗାଁର ହିତାଧିକାରୀ । ଗାଁରେ ୪୦ ପରିବାର ରହୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ମହିଳାଙ୍କୁ ମୋ ବଗିଚା କରିବା ପାଇଁ ର୍ନିଦେଶ ଦେଇଥିଲେ ବ୍ଲକ ପ୍ରଶାସନ । ପ୍ରଶାସନ ନିର୍ଦ୍ଦେଶ ମୁତାବକ ମହିଳାମାନେ ନିଜ ଖର୍ଚରେ  ବିଭିନ୍ନ କିସମର ଗଛ ଲଗାଇ ଫଳ ଫଳାଇଛନ୍ତି । ହେଲେ ଏଯାଏଁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମୋ ବଗିଚା  ପାଉଣା ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
ସରକାରୀ ଅର୍ଥ ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଗୁହାରି କରିବା ପରେ କିଛି ମହିଳାଙ୍କ ଖାତାକୁ କିଛି କିଛି ଅର୍ଥ ଆସିଥିବା ବେଳେ ଅନେକ ହିତାଧିକାରୀ ଟଙ୍କାଟିଏ ବି ପାଇ ନାହାନ୍ତି । ହେଲେ ବ୍ଲକ ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟା ବୁଝୁ ନାହାନ୍ତି, କି ସହାୟତା ଦେବା ନେଇ ଗୁରୁତ୍ୱ ହେଉନଥିବା ଅଭିଯୋଗ କରିଛନ୍ତି । କେବେ ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବେ । କେବେ ମିଳିବ ‘ମୋ ବଗିଚା’ରେ ଘୋଷଣା ହୋଇଥିବା ଟଙ୍କା । ତାକୁ ହିଁ ଅପେକ୍ଷା କରିଛନ୍ତି ନିଜ ଖର୍ଚରେ ମୋ ବଗିଚା କରିଥିବା ଗ୍ରାମବାସୀ ।