ସୁନ୍ଦରୀର ମଣିଷ ଶିକାର ! ଗାଧୋଉଥିବା ବେଳେ ପୋଖରୀରୁ ମହିଳାଙ୍କୁ ଟାଣିନେଲା ବାଘୁଣୀ ସୁନ୍ଦରୀ

72

କନକ ବ୍ୟୁରୋ : ମହିଳାଙ୍କୁ ଟାଣିନେଲା ବାଘୁଣୀ । ଅନୁଗୋଳର ପୁରୁଣକୋର୍ଟ ରେଞ୍ଜ ହାତିବାରି ନିକଟରେ ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ମୃତ ମହିଳା ଜଣକ ହେଉଛନ୍ତି କୈଳାଶୀ ସାୟା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଉତ୍ତ୍ୟକ୍ତ ଲୋକେ ଟିକରପଡା ରେଞ୍ଜ ଅଫିସରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ହାତବାରି ଗ୍ରାମର କୈଳାଶ ସାୟା ସକାଳେ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ । ତେବେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ପୂରା ଅଞ୍ଚଳରେ ଖୋଜିଥିଲେ । ହେଲା କୈଳାଶୀଙ୍କର କୌଣସି ପତା ନ ମିଳିବାରୁ ତାଙ୍କୁ ଜଙ୍ଗଲ ମଧ୍ୟରେ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ । ତେବେ ସାତକୋଶିଆ ଜଙ୍ଗଲ ମଧ୍ୟରେ କୈଳାଶୀଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ବାଘ ଆକ୍ରମଣରେ ଯେଉଁଭଳି କ୍ଷତ ସୃଷ୍ଟି ହୁଏ ଠିକ୍ ସେହିଭଳି କ୍ଷତ କୈଳାଶୀଙ୍କ ଶରୀରରେ ରହିଥିଲା । ଯାହା ସ୍ପଷ୍ଟ ଦର୍ଶାଉଥିଲା ଯେ, ସୁନ୍ଦୁରୀ ବାଘୁଣୀ ଆକ୍ରମଣ ଯୋଗୁଁ ହିଁ କୈଳାଶୀଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର କାହ୍ନା ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ଗତ ଜୁନ୍ ୨୧ତାରିଖରେ ଗୋଟିଏ ବାଘ ଓ ବାନ୍ଧବଗଡ଼ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ଜୁନ୍ ୨୮ତାରିଖରେ ଗୋଟିଏ ବାଘୁଣୀ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ଏନକ୍ଲୋଜରରେ ରହିବା ପରେ ଗତ ଜୁଲାଇ ୬ତାରିଖରେ ବାଘ ଓ ଅଗଷ୍ଟ ୧୭ତାରିଖରେ ବାଘୁଣୀକୁ ମୁକ୍ତ କରାଯାଇଥିଲା । ତେବେ ସାତକୋଶିଆ ଜଙ୍ଗଲରେ ଏହି ବାଘବାଘୁଣୀଙ୍କୁ ଛଡ଼ାଯିବା ପରେ ନିଜ ଧନଜୀବନର ସୁରକ୍ଷା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଅଂଚଳର ୧୨୬ଟି ଗାଁର ଲୋକମାନେ ଏହାର ପ୍ରତିବାଦରେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି ।