କନକ ବ୍ୟୁରୋ : ହ୍ୱାଟ୍ସଆପ୍ ବା ସ୍କୁଲ ଜିମେଲ ଆକାଉଣ୍ଟ ବ୍ୟବହାର କରିବା ଅପରାଧରେ ଚୀନ୍ ମୁସଲିମ ମହିଳାମାନଙ୍କୁ ମାସ ମାସ ଧରି ଅଟକ ରଖୁଥିବା ନିକଟରେ ପ୍ରକାଶିତ ‘ଇନ୍ ଦ କ୍ୟାମ୍ପସ୍: ଚାଇନାଜ୍ ହାଇଟେକ୍ ପେନାଲ କଲୋନି’ ଶୀର୍ଷକ ପୁସ୍ତକରେ ଉଲ୍ଲେଖ କରାଯାଇଛି । ମୁସଲିମ ମହିଳାମାନେ ହ୍ୱାଟ୍ସଆପ୍ ବ୍ୟବହାର କରିବାକୁ ସାଇବର ‘ପ୍ରି-କ୍ରାଇମ୍’ (ପ୍ରାକ୍-ଅପରାଧ) ଏବଂ ସମ୍ପୃକ୍ତ ମହିଳାମାନଙ୍କୁ ‘ପ୍ରି-କ୍ରିମିନାଲ’ (ପ୍ରାକ୍-ଅପରାଧୀ) ଭାବେ ଅଭିହିତ କରାଯାଉଛି ।
ଏଥିରେ ବେରା ଝୋଙ୍କ ଉଦାହରଣ ଦିଆଯାଇଛି, ଯିଏ କି ୟୁନିଭର୍ସିଟି ଅଫ୍ ୱାଶିଂଟନର ଛାତ୍ରୀ । ସେ ନିକଟରେ ଭର୍ଚୁଆଲ ପ୍ରାଇଭେଟ ନେଟ୍ୱାର୍କ (ଭିପିଏନ୍) ବ୍ୟବହାର କରି ତାଙ୍କ ସ୍କୁଲର ଜିମେଲ ଆକାଉଣ୍ଟ ଖୋଲିଥିଲେ ଏବଂ ଚୀନ୍ର ଶିଂଜିଆଙ୍ଗରେ ନିଜର ହୋମ୍ୱାର୍କ ଦାଖଲ କରିଥିଲେ । ଏଥିପାଇଁ ତାଙ୍କୁ ପ୍ରାକ୍-ଅପରାଧୀ ଭାବେ ଅଟକ ରଖାଯାଇଥିବା ଏକ ଇଂରାଜୀ ଦୈନିକରେ ପ୍ରକାଶ ପାଇଛି । ଝୋଙ୍କୁ ଛଅମାସ ଅଟକ ରଖାଯିବା ପରେ କେତେକ ସର୍ତ୍ତରେ ଛଡ଼ାଯାଇଛି । ସର୍ତ୍ତ ଭିତରେ ଅଛି ସେ ନିକଟସ୍ଥ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହିବେ ଏବଂ ନିୟମିତ ରିପୋର୍ଟ କରିବେ । ଝୋ ମୁକ୍ତି ପାଇବା ପରେ କହିଛନ୍ତି ଯେ, ଏବେ ବି ତାଙ୍କୁ ଲାଗୁଛି ସେ ଡିଜିଟାଲ ଜେଲରେ ବନ୍ଦୀ ହୋଇ ଅଛନ୍ତି । ଦିନେ ଝୋ ନିର୍ଦ୍ଦିଷ୍ଟ ଅଞ୍ଚଳ ସୀମା ଯାଏ ଚାଲିଯାଇଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ମନିଟରରେ ପ୍ରଦର୍ଶିତ ହେଲା- ଏ ମୁସ୍ଲିମ ପ୍ରି-କ୍ରିମିନାଲ । ଚୀନ୍ର ଶିବିରଗୁଡ଼ିକରେ ବର୍ତ୍ତମାନ ଏକ ନିୟୁତରୁ ଅଧିକ ଉଇଘର ଓ ଅନ୍ୟ ମୁସଲିମ ଲୋକ ବନ୍ଦୀ ଭାବେ ରହିଥିବା ଉକ୍ତ ପୁସ୍ତକରେ ପ୍ରକାଶ ପାଇଛି । ଏହି ଲୋକମାନଙ୍କୁ ଜବରଦସ୍ତ ମାଗଣା ଶ୍ରମିକଭାବେ ଖଟାଯାଉଥିବା ମଧ୍ୟ ମାନବାଧିକାର ଗୋଷ୍ଠୀମାନେ ଅଭିଯୋଗ କରିଛନ୍ତି ।