କନକ ବ୍ୟୁରୋ: ମରିଗଲା ମାନବିକତା । ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଓହ୍ଲାଇଦେଲେ ବସରୁ । ରାସ୍ତା କଡରେ ପ୍ରାୟ ଏକ ଘଂଟା ଧରି ଛଟପଟ ହେବା ପରେ ଚାଲିଗଲା ଜୀବନ । ଗାଡି ନିମିଳିବାରୁ ଡାକ୍ତରଖାନାକୁ ବି ଯାଇପାରିଲେ ନାହିଁ । ଫୋନ୍ କରିବା ପରେ ବି ପହଁଚିନଥିଲା ୧୦୮ ଆମ୍ବୁଲାନ୍ସ । ତେବେ ବହୁ ସମୟ ପରେ ଏକ ଅଟୋରେ ମହିଳା ଜଣଙ୍କୁ ସ୍ଥାନୀୟ ଲୋକେ ଏକ ଅଟୋରେ ନେଇଥିଲେ ଡାକ୍ତରଖାନା । ହେଲେ ସେତେବେଳକୁ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ସଦର ବ୍ଲକର ବରଦାପାଳ ଗାଁରେ ।
ସନ୍ତାନ ପ୍ରସବ ପରେ ରକ୍ତହୀନତା ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ଉଭୟ ମା’ ଓ ଦୁଇମାସର ଶିଶୁଙ୍କ ଅବସ୍ଥା ଗୁରୁତର ରହିଥିଲା। ଶେଷରେ ମା’ ଆଖି ବୁଜିଛନ୍ତି। ଶିଶୁପୁତ୍ର ଅସହାୟ ହୋଇପଡ଼ିଛି। ମୃତ ମହିଳା ହେଲେ ଉପରକୁସୁମିତାର କୁନି ପ୍ରଧାନ (୨୫)। ଦେଢ଼ବର୍ଷ ତଳେ ବଲାଣିର ଦିଲୀପ ନାଏକ ତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଗତ ଡିସେମ୍ବର ୨୩ ରେ କୁନି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସେବେଠାରୁ ସେ ତାଙ୍କ ପୈତୃକ ଘର ଉପରକୁସୁମିତାରେ ରହୁଥିଲେ। ପ୍ରସବକାଳୀନ ଅସୁସ୍ଥତା ଓ ପୁଷ୍ଟିକର ଖାଦ୍ୟ ଅଭାବରୁ ତାଙ୍କଠାରେ ରକ୍ତହୀନତା ଦେଖା ଦେଇଥିଲା। ଖବରପାଇ ଦିଲୀପ ବଲାଣିରୁ ଉପରକୁସୁମିତାକୁ ଆସି ଆଜି ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ଫେରି ଦୁହେଁ ବଲାଣି ଯିବାକୁ ଗାଁରୁ ଏକ ବସ୍ରେ ଚଢ଼ିଥିଲେ। ମାତ୍ର ୪ କିଲୋମିଟର ରାସ୍ତା ଯିବା ପରେ କୁନି ଅସୁସ୍ଥ ହୋଇପଡ଼ିଥିଲେ।
ଏଭଳି ଅବସ୍ଥାରେ ବରଦାପାଳ ଛକରେ ଉଭୟଙ୍କୁ ବସ୍ରୁ ଓହ୍ଲାଇ ଦିଆଯାଇଥିଲା। ବରଦାପାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଅଟୋଟିଏ ବି ମିଳିନଥିଲା। ୧୦୮କୁ ଫୋନ କରିଥିଲେ ବି ଆସିନଥିଲା। ପାଖାପାଖି ଘଣ୍ଟାଏ କାଳ ସେହି ରାସ୍ତାରେ କୁନି ପଡ଼ିରହି ଛଟପଟ ହୋଇଥିଲେ। ଘଣ୍ଟାଏ ପରେ ଏକ ଅଟୋ ଆସୁଥିଲା। ସେଥିରେ ତାଙ୍କୁ ବରଦାପାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ୨ ମାସର ଶିଶୁପୁତ୍ରର ଅବସ୍ଥା ମଧ୍ୟ ଗୁରୁତର ରହିଛି। ଚାଇଲ୍ଡ ଲାଇନକୁ ଖବର ଦେବା ପରେ ଏହାର କର୍ମକର୍ତ୍ତାମାନେ ଆସି ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। ଦୁଇମାସର ଶିଶୁଟିକୁ କିପରି ଲାଳନପାଳନ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦିଲୀପ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/DHIK.jpg)
/kanak/media/post_attachments/wp-content/uploads/2020/02/Screen-Shot-2020-02-21-at-1.05.06-PM.png)
/kanak/media/post_attachments/wp-content/uploads/2020/02/Screen-Shot-2020-02-21-at-1.05.14-PM.png)