ସାପ କାମୁଡାରେ ଆଖି ବୁଜିଲା ମାଆ, ଅନାଥ ହୋଇଗଲେ ଦୁଇ ଛୁଆ… ପୂର୍ବରୁ ପରପାରିକୁ ଚାଲି ଯାଇଥିଲେ ବାପା, ଏବେ ମାଆକୁ ଛଡାଇ ନେଲା ନିଷ୍ଠୁର ବିଧାତା ।

347

କନକ ବ୍ୟୁରୋ: ଅନାଥ କରିଦେଲା ସାପ । ବାପାଙ୍କ ପରେ ଆଖି ବୁଜିଲା ମାଆ…ସାପ କରିଦେଲା ସର୍ବହରା । ପିଲାଙ୍କ ମୁଣ୍ଡରୁ ହଟିଗଲା ମାଆର ପଣତ । ଦୁଇ ଭାଇଙ୍କ ପାଇଁ ଏବେ ସ୍ୱପ୍ନ ପାଲଟିଗଲା ମାଆ ଡାକ । ଆଉ ଡର ଲାଗିଲେ କାହାକୁ ଡାକିବେ ଦୁଇ ଭାଇ… ଭୋକ ଲାଗିଲେ କାହାକୁ ମାଗିବେ ଭାତ ତିଅଣ ? ମାଆ ତ ଆଉ ନାହିଁ ଏବେ କିଏ ବୁଝିବ ମନର ଭାଷା ? କିଏ ପଢିବ ପେଟର ଭୋକ… ? ବିଷଧର ସର୍ପ ଦଂଶନରେ ମାଆର ମୃତ୍ୟୁ ପରେ ଏବେ ଅନାଥ ହୋଇଛନ୍ତି ଦୁଇ ଛୁଆ… ବେସାହାରା ହୋଇଛନ୍ତି ଦୁଇ କୁନି କୁନି ଭାଇ…

୪ ବର୍ଷ ତଳେ ବାପା ଛେଉଣ୍ଡ ହୋଇଥିଲେ ଆଉ ଏବେ ମାଆ ଛେଉଣ୍ଡ ହୋଇଗଲେ । ନିଷ୍ଠୁର ବିଧାତା ବାପାମାଆଙ୍କୁ ନେଇଯିବା ପରେ ଭବିଷ୍ୟତ ନେଇ ଭୟଭୀତ ହୋଇପଡିଛନ୍ତି ଦୁଇ କଅଁଳ କଢି । ଯାହା ତାଙ୍କ ଏ ନୀରିହ ଆଖି ହିଁ କହୁଛି… ତେବେ ସାପ କାମୁଡାର ଏ ହୃଦୟଥରା ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବଡପୋଖରୀ ପଞ୍ଚାୟତ ଦୁର୍ଗାପୁର ଗାଁରେ । ବାତ୍ୟା ପରେ ଗାଁ ଚାରିପାଖେ ବନ୍ୟାପାଣି ଘେରି ରହିଥିବାରୁ ଏକ ବିଷଧର ସାପ ଗାଁର ରାଧା ସିଂଙ୍କ ଘରେ ପଶିଯାଇଥିଲା ।

ସୋମବାର ସକାଳେ ମହିଳା ଜଣଙ୍କ ନିଜ ଘରେ କୁକୁଡା ମରି ପଡିବା ସହ ଅଣ୍ଡାଗୁଡିକ ଏଣେତେଣେ ପଡିଥିବା ଦେଖିଥିଲେ । ଆଉ ଅଣ୍ଡାଗୁଡିକୁ ଗୋଟାଇ କୁକୁଡା ପାଖରେ ରଖିବାକୁ ଗଲାବେଳେ ହଠାତ୍ ସେହି ବିଷଧର ସାପ ତାଙ୍କୁ ଚୋଟ ମାରିଥିଲା । ସର୍ପାଘାତ ପରେ ମହିଳାଙ୍କୁ ସୋର ଡାକ୍ତରଖାନା ନେଉଥିଲେ ହେଁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେପଟେ ମାଆ ଗଲା ପରେ ଅବାକ ହୋଇଛନ୍ତି ଏ କୁନି କୁନି ପିଲା । ୪ ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଥିଲା । ଆଉ ବାପା ଗଲା ପରେ ଅତି ଦୁଃଖକଷ୍ଟରେ କୁନି କୁନି ପିଲାଙ୍କ ଅଳି ଅର୍ଦ୍ଦଳି ବୁଝି ମଣିଷ କରୁଥିବା ବେଳେ ଶେଷରେ ସାପ କାମୁଡାରେ ତାଙ୍କର ବି ମୃତ୍ୟୁ ହୋଇଛି । ବାପା ଚାଲିଗଲା ପରେ ମାଆ ହିଁ ଥିଲା ଦୁଇଭାଇଙ୍କ ଶକ୍ତି, ସାହସ ଓ ବଳ । ମାଆ ସ୍ନେହ ଦେଉଥିଲା, ମମତା ଦେଉଥିଲା, ଅଝଟ ବୁଝୁଥିଲା, ଆକଟ ବି କରୁଥିଲା । ଭଲରେ ନହେଲା ନାହିଁ ଦଃଖ କଷ୍ଟରେ ମାଆ ମୁହଁ ଚାହିଁ ବଡ ହେବାର ଜୁ ଗୋଟାଉଥିଲେ ଦୁଇ ଜଣ । ହେଲେ ସମୟ ସବୁ ସାରିଦେଲେ । ସ୍ୱପ୍ନ ଭାଙ୍ଗିଦେଲା । ଦୁନିଆ କଣ ବୁଝିବା ଆଗରୁ ଦୁନିଆ ଆଗରେ ଅନାଥ କରିଦେଲା । ଏ କଥାକୁ ବୋଧେ ହୁଏ ଅଳ୍ପ ଅଳ୍ପ ବୁଝିଯାଇଛି ବଡ ଭାଇ ତେଣୁ ତ ସାନ ଭାଇର ଲୁହକୁ, ଥମଥମ ମୁହଁକୁ ମାଆ ପରି ପୋଛି ଦେଉଛି… ଆଉ ତା ମୁଣ୍ଡରେ ହାତ ମାରି କହୁଛି… ବ୍ୟସ୍ତ ହଅ ନା, ମୁଁ ଅଛି, ତୋ ଭାଇ ଅଛି, ଆମେ ବଞ୍ଚିବା, ଆମେ ବଢିବା, ଆମେ ବଡ ମଣିଷ ହେବା…