ମା’ର ମୃତଦେହକୁ ଜାବୁଡି ରାହା ଧରି କାନ୍ଦୁଛନ୍ତି କୁନିକୁନି ଛୁଆ। କେନ୍ଦ୍ରାପଡାରୁ ଆସିଲା ହୃଦୟ ଚହଲାଇ ଦେଲା ଭଳି ଚିତ୍ର। ମାମୁଁଘରୁ ଫେରୁଥିବାବେଳେ ଚାଲିଗଲା ମାଆର ଜୀବନ

2,311

କନକ ବ୍ୟୁରୋ: ମାଆ ଆଉ ଛୁଆ । ସଂପର୍କ, ଅନାବିଳ ମମତା. ଅପତ୍ୟ ସ୍ନେହର । ମାଆକୁ ଛାଡି ପିଲା ବା ପିଲାକୁ ଛାଡି ମାଆ ଘଡିଏ ରହିବା ବି ମୁସ୍କିଲ । ହେଲେ ଯେତେବେଳେ ଦୁନିଆକୁ ଭଲରେ ଦେଖିନଥିବା, ଜୀବନକୁ ଭଲରେ ବୁଝିନଥିବା କୋମଳମତି ଛୋଟ ପିଲାଙ୍କୁ ଛାଡି ମାଆ ଆରପାରିକୁ ଚାଲିଯାଏ । ମାଆର ହାତ, ପଣତକାନିକୁ ଧରି ବାଟ ଚାଲୁଥିବା ବେଳେ ଯଦି ହଠାତ୍ ମାଆକୁ ମୃତ୍ୟୁ କୋଳେଇ ନିଏ । କଣ ହେବ ପିଲାଙ୍କ ଅବସ୍ଥା । ରାହା ଧରି କାନ୍ଦୁଥିବା ପିଲାଙ୍କୁ କିଏ କୋଳେଇ ନେବ । କିଏ ଦେବ ବୋଧ ।

ଏ ଚିତ୍ରକୁ ଦେଖିଲେ ଏମିତି ଅନେକ ପ୍ରଶ୍ନ ଆପଣଙ୍କୁ ବି ଆନ୍ଦୋଳିତ କରିବ । କେନ୍ଦ୍ରାପଡା ଜିଲ୍ଲା କଣ୍ଡିଆ ଓଲେଭର ରାସ୍ତାର ଲହୁଣୀ ଛକରୁ ଆସିଛି ଏମିତି ଏକ ହୃଦୟ ବିଦାରକ ଚିତ୍ର । ବାପଘରୁ ଅଟୋରେ ପରିବାର ସହ ଫେରିବା ବେଳେ ବାଇକ୍ ସହ ଧକ୍କା ହୋଇ ଓଲଟି ପଡିଛି ଅଟୋ । ମୁଣ୍ଡରେ ଗଭୀର ଆଘାତ ପାଇ ଘଟଣା ସ୍ଥଳରେ ହିଁ ସ୍ୱାମୀ ଓ ତିନି ଛୁଆକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ମିନତି ମଲ୍ଲିକ । ସ୍ୱାମୀ ହଠାତ୍ ଦୁର୍ଘଟଣାକୁ ନେଇ ହତବାକ୍ ହୋଇଯାଇଛନ୍ତି । ଆଉ ମିନତିଙ୍କ କୁନି କୁନି ତିନି ପିଲା ମାଆକୁ କୋଳେଇ ଧରି ଏମିତି କାନ୍ଦୁଛନ୍ତି ଯେ ଦେଖିବା ଲୋକ ବି କୋହ ଧରି ରହିପାରିନାହାଁନ୍ତି ।

 

ହସ ଖୁସିରେ ମାମୁଁ ଘରୁ ଫେରୁଥିବା ଏ ପିଲାମାନେ ହଠାତ୍ ମାଆ ଛେଉଁଣ୍ଡ ହୋଇଯାଇଛନ୍ତି । କୁହାଯାଏ କାଳ କେତେବେଳେ କେଉଁ ରୂପରେ କାହାକୁ କେମିତି କୋଳେଇ ନେବ ତାହା କେହି କହିପାରିବେନି । ଜନ୍ମ ଅଛି ମାତ୍ରେ ମୃତ୍ୟୁ ଧ୍ରୁବ ସତ୍ୟ । ହେଲେ ଏ କୋମଳମତି ପିଲା, ଜୀବନର ଏ ଗହନ ସତକୁ ବୁଝିବାର କି ଆବଶ୍ୟକତା ଅଛି । ଏମାନଙ୍କୁ କେବଳ ଦରକାର ମାଆର ସ୍ନେହ । ଯାହା ମିଳିବା ଆଉ ସମ୍ଭବ ନୁହେଁ ।