ସୁସ୍ଥ ହେବାକୁ ଯାଇଥିଲେ ଡାକ୍ତରଖାନା । ହେଲେ ଭୁଲ ଇଂଜେକ୍ସନ କାରଣରୁ ଚାଲିଗଲା ଜୀବନ

583

କନକ ବ୍ୟୁରୋ : ସୁସ୍ଥ ହେବାକୁ ଡାକ୍ତରଖାନା ଯାଇଥିଲେ । ହେଲେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ସୁସ୍ଥ ହେବା ବଦଳରେ ସବୁ ଦିନ ପାଇଁ ଆଖି ବୁଝିଦେଇଛନ୍ତି ମହିଳା । ଡାକ୍ତରଖାନାରେ କାନ୍ଦବୋବାଳି ପଡିଛି । ଭୁଲ ଇଂଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗୋଡ-ହାତ ବିନ୍ଧା ହେଉଥିବାରୁ ଦେବକୀ ରାଉତ ନାମକ ୬୫ ବର୍ଷିୟ ମହିଳା କାକଟପୁର ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେଠାରେ ଫାର୍ମାଶିଷ୍ଟ କ୍ଷୀରୋଦ ନାଥ ଖୁଂଟିଆ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପ୍ରେସକ୍ରିପ୍ସନ୍ରେ ଦୁଇଟି ଇଂଜେକ୍ସନ ଲେଖିଥିଲେ । ସେହି ଇଂଜେକ୍ସନ୍ ନେବା ପରେ ଅଳ୍ପ କିଛି ସମୟ ମହିଳା ଜଣଙ୍କ ତଳେ ପଡି ଯାଇଥିଲେ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କ ପାଟିରୁ ଫେଣ ବାହାରି ପ୍ରାଣବାୟୁ ଉଡି ଯାଇଥିଲା । ଏହାପରେ ଡାକ୍ତରଖାନାରେ ପହଂଚିଥିଲେ ମୃତକଙ୍କ ସଂପର୍କୀୟ । ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣ ଡାକ୍ତର ଥିବା ବେଳେ ଫାର୍ମାଶିଷ୍ଟ କାହିଁକି ରୋଗୀଙ୍କୁ ଦେଖି ଇଂଜେକ୍ସନ୍ ଲେଖିଲେ ବୋଲି ଅଭିଯୋଗ ହୋଇଛି । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମହିଳାଙ୍କ ମୃତ୍ୟୁକୁ ନେଇ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି ।