ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ

Advertisment
ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ

କନକ ବ୍ୟୁରୋ :  ଦେଶରେ କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶର ସ୍ଥିତି ବିଷୟରେ ଜଣାଇଛି। ଏହା ସହ ଟିକାକରଣକୁ ନେଇ ହେଉଥିବା ଗୁଜବକୁ ବିଷୟରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଗତ କିଛି ଦିନ ହେଲାଣି ଏକ ଖବର ଭାଇରାଲ ହେଉଛି ଯେ, ମାସିକଧର୍ମ ସମୟ‌ରେ ମହିଳାମାନେ କରୋନା ଟିକା ନେବା ଉଚିତ ନୁହେଁ। କିନ୍ତୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦସ୍ୟ ଡାକ୍ତର ଭି.କେ ପୌଲ।

ସେ କହିଛନ୍ତି ଯେ, ମାସିକଧର୍ମ ସମୟରେ ମହିଳାମାନେ ଟିକା ନେଇପାରିବେ କି ନାହିଁ ପ୍ରଶ୍ନ ପଚରାଯାଉଛି। ଉତ୍ତର ହେଉଛି ହଁ। ମହିଳାମାନେ ମାସିକଧର୍ମ ସମୟରେ ଟିକା ନେଇପାରିବେ। ଏଥିରେ ଟିକାକରଣ ସ୍ଥଗିତ ରଖିବାର କୌଣସି କାରଣ ନାହିଁ। ଏହା ସହ ସେ କହିଛନ୍ତି ଯେ, ଏହି କରୋନା ପରିସ୍ଥିତିରେ, ଦୟାକରି ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଘରେ ରହିଲେ ମଧ୍ୟ ମାସ୍କ ପିନ୍ଧନ୍ତୁ। ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ। ନିଜ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଆପଣଙ୍କ ଘରକୁ ନିମନ୍ତ୍ରଣ କରନ୍ତୁ ନାହିଁ।

ଅନ୍ୟ ପକ୍ଷରେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ, ଆମକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ କରିବାକୁ ହେବ ଏବଂ ହସ୍ପିଟାଲ୍ ସମ୍ବଳକୁ ଉତ୍ତମ ଭାବରେ ବ୍ୟବହାର କରିବାକୁ ପଡ଼ିବ। ଅମ୍ଳଜାନର ନ୍ୟାୟପୂର୍ଣ୍ଣ ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଦରକାର ନଥିଲେ ବି ଲୋକେ ଆତଙ୍କିତ ହୋଇ ଡାକ୍ତାରଖାନାରେ ଭର୍ତ୍ତି ହେଉଛନ୍ତି ଏବଂ ଅମ୍ଲଜାନ ନେଉଛନ୍ତି।

ତେବେ ଦେଶରେ ଏବେ ୧୪.୧୯କୋଟି ଡୋଜ ଲୋକଙ୍କୁ ଦିଆଯାଇସାରିଥିବା ବେଳେ ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜୁରାଟ ଏବଂ ତାମିଲନାଡୁରେ ୧ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଥିବା କହିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe