ଜଣେ ମହିଳା ଭିକ୍ଷୁକଙ୍କ କାହାଣୀ । ପ୍ଲାଷ୍ଟିକ ବକ୍ସରୁ ଜରି ଅଖା, ସବୁଠି ପଡିଥିଲା ପୁଳା ପୁଳା ଟଙ୍କା । 

4,259

କନକ ବ୍ୟୁରୋ : ଚଳିବାରେ ସୁବିଧା ଲାଗି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ରାଜୌରୀର ଜିଲ୍ଲାରେ ଜଣେ ୬୫ ବର୍ଷୀୟ ମହିଳା ଭିକ୍ଷୁକକୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଅଳ୍ପ ସମୟ ପରେ ତା’ ପାଖରେ ୨.୫୮ ଲକ୍ଷରୁ ଅଧିକ ଟଙ୍କା ଥିବା କଥା ଜଣାପଡ଼ିଛି ବୋଲି ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଗତ ୩ ଦଶନ୍ଧି ହେବ ବସ୍‌ଷ୍ଟାଣ୍ଡ୍‌ ରାସ୍ତା ଏବଂ ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିବା ଉକ୍ତ ଅପରିଚିତା ମହିଳା ଭିକ୍ଷୁକକୁ ସୋମବାର ଦିନ ବାସହୀନମାନଙ୍କ ସୁବିଧା ନିମନ୍ତେ ଉଦ୍ଦିଷ୍ଟ ‘ସେଲଟର୍‌ ହୋମ୍’କୁ ସ୍ଥାନାନ୍ତର କରାଯାଇଥିବା କଥା ନୌଶେରାର ଅତିରିକ୍ତ କମିସନର୍‌ ସୁଖଦେବ ସିଂହ ସାମ୍ୟାଲ୍‌ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ପଶୁ ଚିକିତ୍ସାଳୟ ବାହାରେ ଥିବା ତା’ର ପଲାକୁ ଉଠାଇ ଦେବା ଲାଗି ମଙ୍ଗଳବାର ସକାଳେ ମ୍ୟୁନିସପାଲ୍‌ କମିଟିର ଟିମକୁ ପଠାଯାଇଥିଲା। ସେମାନେ ମହିଳା ଭିକ୍ଷୁକର ପଲାରେ ପଲିଥିନରେ ଟାଇଟ୍‌‌ ହୋଇ ଗୁଡ଼ା ହୋଇଥିବା ବିଭିନ୍ନ ଅଙ୍କର କାଗଜ ଟଙ୍କାରେ ପୂର୍ଣ୍ଣ  ୩ଟି ପ୍ଲାଷ୍ଟିକ୍‌ କ୍ରେଟ୍‌ ଏବଂ ଧାତବ ମୁଦ୍ରା ଭରା ଗୋଟାଏ ଜରିବସ୍ତା ଦେଖି ଆଚମ୍ବିତ ହୋଇଯାଇଥିଲେ।

ଏ ଖବର ପାଇବା ପରେ ମାଜିଷ୍ଟ୍ରେଟ୍‌ଙ୍କ ସହିତ ଘଟଣାସ୍ଥଳକୁ ପୁଲିସ ପଠାଯାଇଥିଲା  । ଟଙ୍କା ଗଣାଗଣି କରିବା ପରେ ଉକ୍ତ ମହିଳା ଭିକ୍ଷୁକ ପାଖରେ ୨,୫୮,୫୦୭ ଟଙ୍କା ଥିବା କଥା ଜଣାପଡ଼ିଥିଲା।

ଭିକ୍ଷାବୃତ୍ତିକୁ ଆଶ୍ରା କରି ଜୀବନଯାପନ କରୁଥିବା ସେ ମହିଳାଜଣକ ପ୍ଲାଷ୍ଟିକ୍‌ ଡବାରେ ଉକ୍ତ ଟଙ୍କା ସଞ୍ଚୟ କରିଥିଲା। ତା’ର ଠିକଣା ଜଣାନାହିଁ। ସେ କୁଆଡୁ ଆସିଛି କେହି ଜାଣନ୍ତି ନାହିଁ, କିନ୍ତୁ ୩୦ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ପ୍ରାଣୀ ଚିକିତ୍ସାଳୟ ଆଖପାଖ ଅଞ୍ଚଳ ଏବଂ ବସଷ୍ଟାଣ୍ଡରେ ବୁଲାବୁଲି କରି ଭିକ୍ଷା ମାଗୁଥିଲେ ।