ମହିଳା ଖାଇଲେ ମାଡ଼: ରାଜରାସ୍ତାରେ ମହିଳାଙ୍କୁ ଗୋଇଠା, ବିଧା । ଜମିଜମା ବିବାଦକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ବେଳେ ଲାଠି ଉଠାଇ ଜବାବ୍ ଦେଲେ ସାହସୀ ମହିଳା । ବନ୍ଧା ହେଲେ ୨ ଆକ୍ରମଣକାରୀ

406

କନକ ବ୍ୟୁରୋ: ମଝି ରାସ୍ତାରେ ମହିଳାଙ୍କୁ ମାଡ଼ । ଜମିଜମାକୁ ନେଇ ସଂଘବଦ୍ଧ ଆକ୍ରମଣ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଚିତ୍ର ହିଁ ବୟାନ କରୁଛି, କେଉଁ ଭଳି ଜଣେ ମହିଳାଙ୍କ ଉପରେ ହୋଇଛି ଆକ୍ରମଣ । ସଂଘବଦ୍ଧ ଭାବରେ ଆସି ମହିଳାଙ୍କ ଉପରେ ହୋଇଛି ବିଧା, ଗୋଇଠା ବର୍ଷା । ଏଭଳି ଘଟଣା ଦେଖିବାକୁ ମିଳିଛି ଲିଙ୍ଗରାଜ ଥାନାର ବିନ୍ଦୁସାଗର ଅଂଚଳରେ । ଜମି ବିବାଦକୁ କେନ୍ଦ୍ରକରି ଏଭଳି ଏକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏ ନେଇ ସମ୍ପୃକ୍ତ ମହିଳା ଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି ।

ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ କହିବା ଅନୁସାରେ, ତରଙ୍ଗ କ୍ଲବ ସହ ଜମିଜମାକୁ କେନ୍ଦ୍ରକରି ତାଙ୍କ ପରିବାରର ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଏ ନେଇ ଆଗରୁ ଗଣ୍ଡଗୋଳ ବି ହୋଇଥିଲା । ତେବେ ମଙ୍ଗଳବାର ସମ୍ପୃକ୍ତ କ୍ଲବର ଯୁବକ ଆସି ମାରଧର କରିଥଲେ । ମହିଳାଙ୍କୁ ପ୍ରାୟ ୫୦ରୁ ଅଧିକ ଯୁବକ ଏଭଳି ଆକ୍ରମଣ କରିଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି । କେବଳ ଏତିକି ନୁହଁ ସଂପୃକ୍ତ ଯୁବକମାନେ ତାଙ୍କ ସ୍ୱାମୀ ଓ ପରିବାରର ସଦସ୍ୟଙ୍କୁ ବାରମ୍ବାର ଖରାପ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ବଡ଼ କଥା ହେଉଛି ରାଜଧାନୀ ରାଜ ରାସ୍ତାରେ ଜଣେ ମହିଳାଙ୍କ ଉପରେ ଏଭଳି ଆକ୍ରମଣ ହେଉଥିଲେ ସୁଦ୍ଧା, କେମତି କାହା ନଜରକୁ ଆସିଲାନି, ତାହା ଏକ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି । ଏହି ପୁରା ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଫେରାର ଯୁବକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।