ମହିଳା ଏଏସଆଇ ଏ.ଏନ. ଲୁଗୁନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ 

182

କନକ ବ୍ୟୁରୋ: ରହସ୍ୟ ଘେରକୁ ଆସିଛି ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଆଲିସ ନାରମି ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ । ଲୁଗୁନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ତାଙ୍କ ସ୍ୱାମୀ ଥାନାରେ ଏତଲା ଦେବା ପରେ ୩୦୨ ଦଫାରେ ମାମଲା ରୁଜୁ କରିଛି ପୁଲିସ । ଜଣେ ଡିଏସଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଏପଟେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ସହ ଏହାର ଭିଡିଓ ଗ୍ରାଫି କରାଯାଇଛି । ରାଉରକେଲା ଏସପି କହିଛନ୍ତି, ଯାତ୍ରୀବାହୀ ବସ୍ ଓ କାର ଦୁର୍ଘଟଣା ପରେ ମାରପିଟ୍ ହେବାରୁ ଘଟଣା ସ୍ଥଳକୁ ଯାଇଥିଲେ ଏଏସଆଇ ଲୁଗୁନ । କିଛି ଅଭିଯୁକ୍ତଙ୍କୁ ଥାନାକୁ ଆଣିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାଉରକେଲା ପୁଲିସର ଏହି ଥିଓରୀକୁ ମାନିନାହାନ୍ତି ମୃତ ମହିଳା ଏଏସଆଇଙ୍କ ପରିବାର । ହତ୍ୟା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ତାଙ୍କ ସ୍ୱାମୀ ସଂଜୟ ଲାକ୍ରା । ସେ ଅଭିଯୋଗ କରିଛନ୍ତି….

  • ତାଙ୍କ ପତ୍ନୀ ଏଏସଆଇ ଲୁଗୁନଙ୍କୁ ହତ୍ୟା କରାଯାଇଛି 
  • ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା
  • ଦେହ ଖରାପ ଖବର ଜଣେ ସଂପର୍କୀୟଙ୍କ ଠାରୁ ପାଇଥିଲେ
  • ହସପିଟାଲରେ ପହଁଚିଲା ବେଳକୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ସାରିଥିଲା
  • ତାଙ୍କ ଗାଲ ଫୁଲିଥିବା ବେଳେ ପାଟିରୁ ରକ୍ତ ବାହାରୁଥିଲା

ମୃତ ଏଏସଆଇ ଆଲିସ ନାରମି ଲୁଗୁନ, ରାଉରକେଲାର ମହିଳା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଅଧିକାରୀ ଥିଲେ । ସୁସ୍ମିତା ମିଞ୍ଜଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ସୁସ୍ମିତାଙ୍କ ଭାଇ ଥାନାରେ ଯେଉଁ ଏତଲାରେ ଦେଇଥିଲେ, ସେଥିରେ ଅନ୍ୟମାନଙ୍କ ସହ ସୁରକ୍ଷା ଅଧିକାରୀ ଲୁଗୁନଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ, ରହସ୍ୟ ଘେରରେ ଥିବା ବେଳେ ମହିଳା ଏଏସଆଇ ଲୁଗୁନଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଯାଇଛି । ପୂର୍ବତନ ବିଧାୟକ ଜର୍ଜ ତିର୍କୀ ମଧ୍ୟ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ସେପଟେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ସହ ଲୁଗୁନଙ୍କ ମୃତ୍ୟୁର କୌଣସି ସଂପର୍କ ନଥିବା କହିଛନ୍ତି ରାଉରକେଲା ଏସପି ।

ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ପରେ ଘଟଣା ସ୍ଥଳକୁ ଏଏସଆଇ ଏ ଏନ୍ ଲୁଗୁନଙ୍କ ସହ ଯାଇଥିବା ଡ୍ରାଇଭର ଓ ଜଣେ କନେଷ୍ଟବଳଙ୍କ ଗିରଫ ଦାବିରେ ଅଡି ବସିଛନ୍ତି ଲୁଗୁନଙ୍କ ପରିବାର ଲୋକ । ଶବ ନନେବାରୁ ପୁଣି ଥରେ ମର୍ଗରେ ରଖାଯାଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି…

  • ଏଏସଆଇଙ୍କୁ ହତ୍ୟା କରାଯାଇଛି ନା’ ହୃଦଘାତରେ ହୋଇଛି ମୃତ୍ୟୁ? 
  • ଯଦି ଅସୁସ୍ଥ ହୋଇଥିଲେ, ତେବେ କାହିଁକି ତୁରନ୍ତ ପରିବାରକୁ ଜଣାଇ ନଥିଲା ପୁଲିସ?
  • ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ସହ ରହିଛି କି ସଂପର୍କ?