ନଡିଆ କତା ସାଜିଛି ରୋଜଗାରର ମାଧ୍ୟମ । କେନ୍ଦ୍ରାପଡା ଗରଦପୁର ବ୍ଲକ ତିକନପୁରରେ ତିନୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଉଦ୍ୟମ । ୪୫ ଜଣ ମହିଳାଙ୍କୁ ମିଳୁଛି ରୋଜଗାର ।

162

କନକ ବ୍ୟୁରୋ: ନଡିଆ କତାରୁ ପ୍ରସ୍ତୁତ ହେଉଛି ପାପଛ, ରଶି ଭଳି ସାମଗ୍ରୀ । ଯାହାକୁ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତିକନପୁର ପଞ୍ଚାୟତର ମଣିନାଥପୁର ଗ୍ରାମରେ ରହିଛି ମା କରୁଣାମୟୀ କୋଏର ଇଣ୍ଡଷ୍ଟ୍ରି । ଯାହାର ନଡିଆ କତାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ମା ମଙ୍ଗଳା , ମା ବିମଳା ଏବଂ ବାବା ହରେଶ୍ୱର ତିନୋଟି ସ୍ୱୟଂସହାୟିକା ଗୋଷ୍ଠୀର ପ୍ରାୟ ୪୫ ଜଣ ମହିଳା ସଦସ୍ୟା ମା କରୁଣାମୟୀ କଏର ଇଣ୍ଡଷ୍ଟ୍ରି ସହିତ ମିଳିତ ହୋଇ ନଡିଆ କତାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାକୁ କେନ୍ଦ୍ରାପଡା ଜିଲ୍ଲା ସମେତ କଟକ , ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାକୁ ବିକ୍ରି ପାଇଁ ପଠାଇଥାନ୍ତି ଏବଂ ଏଥିରୁ ଭଲ ରୋଜଗାର ବି ହୁଏ ମାତ୍ର କରୋନା ମହାମାରୀ ଯୋଗୁଁ ଏବେ ବ୍ୟବସାୟ ମାନ୍ଦା ହୋଇଥିବା କହିଛନ୍ତି ଏହି ମହିଳାମାନେ ।

ପ୍ରାୟ ୬ ବଷ ର୍ହେବ ଏହି କତା ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବା ସହିତ ବିଭିନ୍ନ ସାଇଜର ପା ପୋଛ ଏବଂ ରଶି ପ୍ରସ୍ତୁତ କରୁଛନ୍ତି ଏହି ମହିଳା ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟା । ପାପଛଗୁଡିକର ଦାମ୍ ଆକାର ବା ସାଇଜକୁ ନେଇ ଧାର୍ଯ୍ୟ ହୋଇଥାଏ । ଅନ୍ୟପଟେ ନଡିଆ କତା ରଶି ୧୫ କେଜି ବଣ୍ଡଲକୁ ୭୫୦ ଟଙ୍କାରେ ବିକ୍ରି ହୋଇଥାଏ । ମାତ୍ର ଏବେ କରୋନା ଯୋଗୁଁ ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇନପାରି ଫ୍ୟାକ୍ଟ୍ରିରେ ପଡି ରହିବା ଫଳରେ ଏବେ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଗୋଷ୍ଠିର ସଦସ୍ୟମାନେ । ଉତ୍ପାଦିତ ସାମଗ୍ରୀର ବିକ୍ରିବଟାରେ ସମସ୍ୟା ଏବଂ କଞ୍ଚାମାଲର ଅଭାବ ଦୂର କରିବା ନିମନ୍ତେ ପଦକ୍ଷେପ ନେବା ସହିତ କତା କାରିଗର ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ସ୍ୱୟଂସହାୟିକା ଗୋଷ୍ଠିର ମହିଳା କତା କରିଗରମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।