ରାଜ୍ୟରେ ବଢୁଛି ଦୁଷ୍କର୍ମ ମାମଲା । ନାବାଳିକା ସୁରକ୍ଷା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ଖଣ୍ଡପଡ଼ା ବିଧାୟକ । ତାଜୁବ କରିଦେବ ସରକାରଙ୍କ ଉତ୍ତର

୬ ମାସରେ ହେଲାଣୀ ୬୦୪ ନାବାଳିକା ଦୁଷ୍କର୍ମ

330

କନକ ବ୍ୟୁରୋ: ରାଜ୍ୟରେ ବର୍ଷକୁ ବର୍ଷ ବଢ଼ିଚାଲିଛି ଦୁଷ୍କର୍ମ ମାମଲା । ବିଧାନସଭାରେ ସରକାର ତଥ୍ୟ ରଖିଛନ୍ତି ଯେ ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଆଉ ସବୁଠୁ ଚମକାଇ ଦେବା ଭଳି କଥା ହେଉଛି ୭ ଜଣ ପୀଡ଼ିତାଙ୍କ ମଧ୍ୟରୁ ଅଛନ୍ତି ୪ ଜଣ ନାବାଳିକା । ବିଡ଼ମ୍ବନାର ବିଷୟ ହେଉଛି, ମୋଟ ମାମଲାର ମାତ୍ର ୧୮ ପ୍ରତିଶତ ଦୋଷୀ ସାବ୍ୟସ୍ତ ହେଉଛନ୍ତି, ଅନ୍ୟମାନେ ନିର୍ଦ୍ଦୋଶରେ ଖଲାସ ହେଉଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତର ରଖି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି ।

 

 

ରାଜ୍ୟରେ ବଢୁଛି ଦୁଷ୍କର୍ମ । ପ୍ରତିଦିନ ୭ଜଣ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ । ୭ ଜଣଙ୍କ ମଧ୍ୟରୁ ୪ ନାବାଳିକା । ଅପରାଧକୁ ନେଇ ବିଧାନସଭାରେ ସରକାର ଯେଉଁ ତାଲିକା ଦେଇଛନ୍ତି, ତାହା ସମସ୍ତଙ୍କୁ ତାଜୁବ କରିଛି । ବର୍ଷକୁ ବର୍ଷ ଅପରାଧ ବଢ଼ି ଚାଲିଥିବା ବେଳେ ଚିନ୍ତା ଜନକ ହୋଇଛି ଦୁଷ୍କର୍ମ ମାମଲା । ଚଳିତ ବର୍ଷ ପ୍ରଥମ ୬ ମାସରେ ରାଜ୍ୟରେ ୬୦୪ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ୨୦୧୮ରେ ରାଜ୍ୟରେ ପ୍ରତିଦିନ ୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ବର୍ଷସାରା ୧୪୩୦ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନ ଉତର ରଖି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି ।

 

୨୦୧୮ରେ ମୋଟ ୨୫୦୨ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ଅର୍ଥାତ ପ୍ରତିଦିନ ପାଖାପାଖି ୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି । ୧୦୭୩ଟି ମାମଲାର ବିଚାର ଶେଷ ହୋଇଛି । ତେବେ ବିଡ଼ମ୍ବନାର ବିଷୟ ହେଉଛି, ମାତ୍ର ୧୯୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୮୭୬ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହାର ରହିଛି ମାତ୍ର ୧୮ ଦଶମିକ ୩୫ ପ୍ରତିଶତ । ଏହି ତଥ୍ୟକୁ ନେଇ ବର୍ଷିଛି ବିରୋଧୀ ଦଳ ।

ନାରୀ ଓ ନାବାଳିକାଙ୍କ ସୁରକ୍ଷା ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିଛନ୍ତି । ସେପଟେ ମନ୍ତ୍ରୀ କହିଛନ୍ତି, ପକ୍ସୋ ମାମଲାର ବିଚାର ପାଇଁ ୨୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅନ୍ୟ ୨୧ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ପଦକ୍ଷେପ ନିଆଯାଇଛି ।