ଖୋର୍ଦ୍ଧା ଜେଲରୁ ବ୍ରାଉନସୁଗାର ନେଟୱର୍କ ମାମଲା । ପୁଣି ଜବତ ହେଲା ୯ଟି ମୋବାଇଲ । ଜଣେ ମହିଳାଙ୍କ ସହ ୭ଜଣଙ୍କୁ ଗିରଫ କଲା ପୋଲିସ ।

258

କନକ ବ୍ୟୁରୋ: ଖୋର୍ଦ୍ଧା ଜେଲ ଭିତରୁ ବ୍ରାଉନସୁଗାର ନେଟୱାର୍କ ଚଳାଇବା ମାମଲାରେ ଗୁମର ଧୀରେ ଧୀରେ ଫିଟୁଛି । ଏହି ମାମଲାରେ ଆଉ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ବାହାରେ ରହି ଏମାନେ ଧଳାଜହର ରାକେଟ୍ ସମ୍ଭାଳୁଥିଲେ । ଗିରଫ ୭ ଜଣ ହେଲେ କାଳୁଚରଣ ଭୁଇଁଆ, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠୀ, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାୟକ, ଏସ୍ ଏକ୍ରମ, ଅମ୍ରିତ ସାହୁ । କାଳୁଚରଣ ପୋଲସରା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୬ ଜଣ ଖୋର୍ଦ୍ଧା ଅଞ୍ଚଳର ।

ଜେଲ୍ ଭିତରୁ ବ୍ରାଉନସୁଗାର ନେଟୱର୍କ ଚଳାଯିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଖୋଳତାଡ଼ ଜାରି ରହିଛି । ଜେଲ୍ ଭିତରେ ରହି ମୋବାଇଲ ଯୋଗେ ଚଳାଯାଉଥିଲା ଧଳାଜହର ବେପାର । ଜେଲ ଭିତରେ ଥିବା ବ୍ରାଉନସୁଗାର ମାଫିଆ ମୋବାଇଲ ଫୋନରେ ନିଜ ଲୋକଙ୍କୁ ନିର୍ଦ୍ଦେଶ ଦେଉଥିଲେ, ଆଉ ଧଳାଜହର ବେପାର ଚଳାଉଥିଲେ । ଜେଲ ଭିତରୁ ଏକ ମୋବାଇଲ ଜବତ ହେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ପ୍ରଥମେ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଗତ ୫ ତାରିଖରେ ପୋଲିସ୍ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିଥିଲା ।

ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଜେଲ୍ ଭିତରୁ ଆଉ ୯ଟି ମୋବାଇଲ ଜବତ ହୋଇଥିଲା । ଜେଲ ଭିତରୁ ବ୍ରାଉନସୁଗାର ମାଫିଆ ସଂଜୁ ଓ ମିକି ମୋବାଇଲରେ ନିର୍ଦ୍ଦେଶ ଦେଇ ବ୍ରାଉନସୁଗାର ନେଟୱର୍କ ଚଳାଉଥିଲେ । ଏଯାଏଁ ସେମାନଙ୍କ ଠାରୁ ୨୦ଟି ମୋବାଇଲ ଜବତ ହୋଇସାରିଛି ।